ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ସରକାର ଗଠନ ନେଇ ଲାଗି ରହିଥିବା ଟଣା ଓଟରାରେ ଆପାତଃ ପୂର୍ଣ୍ଣଛେଦ ପଡ଼ୁଥିବା ଦେଖିବାକୁ ମିଳିଛି। ଦେବେନ୍ଦ୍ର ଫଡ଼ଣବିସ ମୁଖ୍ୟମନ୍ତ୍ରୀ ଘୋଷିତ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ସଂଶୟ ଦେଖା ଦେଇଥିଲା। ତେବେ ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡ଼ଣବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି। ଗତ ସପ୍ତାହରେ ସେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଓହରି ଯାଇଥିଲେ। ଆସନ୍ତାକାଲି ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଫଡ଼ଣବିସ।
ଏନଡିଟିଭିର ସୂତ୍ର ଅନୁଯାୟୀ, ଏକନାଥ ସିନ୍ଦେ ଏବେ ଦେବେନ୍ଦ୍ର ଫଡ଼ଣବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ସାମିଲ ହେବେ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଅଜିତ ପାଓ୍ଵାର ପ୍ରଥମରୁ ସ୍ପଷ୍ଟ କରି ଦେଇଥିଲେ ଯେ, ସେ ଆସନ୍ତାକାଲି ଶପଥ ନେବେ। ଏହା ପୂର୍ବରୁ ଆଜି ଦେବେନ୍ଦ୍ର ଫଡ଼ଣବିସ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଥିଲେ।
ଏହି ସାକ୍ଷାତ ପରେ ସେ ଏକନାଥ ସିନ୍ଦେଙ୍କୁ ସରକାରରେ ସାମିଲ ହେବା ନେଇ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଗତକାଲି ଏକନାଥ ସିନ୍ଦେଙ୍କୁ କ୍ୟାବିନେଟ୍ରେ ପୂର୍ବବତ ରହିବାକୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର , ଆମେ ସର୍ବଦା ମିଶି କି ନିଷ୍ପତ୍ତି ନେଉଛୁ ଏବଂ ଆଗକୁ ମଧ୍ୟ ଜାରି ରହବି।
ସିନ୍ଦେ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଢେଇ ବର୍ଷ ପୂର୍ବେ ଫଡ଼ଣବିସ ଜୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋ ନାମ ପ୍ରସ୍ତାବ ଦେଇଥିଲେ। ଏଥର ଆମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ପ୍ରସ୍ତାବିତ କରିଛୁ। ଏକନାଥ ସିନ୍ଦେ ପୂର୍ବରୁ ବିଜେପିର ଯେ କୌଣସି ନିର୍ଣ୍ଣୟକୁ ସମର୍ଥନ ଦେବେ ବୋଲି କହିଥିଲେ। ବର୍ତ୍ତମାନ ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ବାଇରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେବେନ୍ଦ୍ର ଫଡ଼ଣବିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ନିଜର ଦାୟିତ୍ଵ ସମ୍ଭାଳିବେ।