ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗି ରହିଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଥିଲେ ହେଁ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଛି । ଏହା ପରେ ହାଇବ୍ରିଡ ମଡେଲ କଥା ସାମ୍ନାକୁ ଆସିଥିଲା । ଏଥିରେ ପାକିସ୍ତାନ ପକ୍ଷରୁ କିଛି ସର୍ତ୍ତ ରଖାଯାଇଥିଲା । ମାତ୍ର ବିସିସିଆଇ ଉକ୍ତ ସର୍ତ୍ତ ମାନିବାକୁ ମନା କରିବା ପରେ ଏବେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଭବିଷ୍ୟତ ଅନ୍ଧାରରେ ରହିଛି । କାରଣ ଏ ପର୍ଯ୍ୟନ୍ତ କ୍ରୀଡାସୂଚୀ ବି ଜାରି କରାଯାଇ ନାହିଁ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତକାଲି ଅର୍ଥାତ ଡିସେମ୍ବର ୫ ତାରିଖରେ ଦୁବାଇରେ ଆଇସିସିର ବୈଠକ ବସିବ । ଏଥିରେ ବିସିସିଆଇ ଓ ପିସିବି ଉଭୟ ସାମିଲ ହେବେ । ସବୁଠୁ ବଡ କଥା ବୈଠକରେ ଯୋଗ ଦେବେ ନୂଆ ଆଇସିସି ଅଧ୍ୟକ୍ଷ ଜୟ ଶାହ । ଏହି ବୈଠକରୁ ଚାମ୍ପିଅନ୍ସ ଟ୍ରଫିର ବିବାଦ ଉପରେ ଅନ୍ତିମ ନିଷ୍ପତ୍ତି ଆସିପାରେ । ଏହା ପୂର୍ବରୁ ନଭେମ୍ବର ୨୯ରେ ଆଇସିସି ବୋର୍ଡ ମିଟିଂ ବସିଥିଲା । ଏଥିରୁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଏହି ମିଟିଂ ମାତ୍ର ୧୫ ମିନିଟ୍ ଧରି ଚାଲିଥିଲା ।
ହାଇବ୍ରିଡ ମଡେଲ୍ ପାଇଁ ପାକିସ୍ତାନର ସର୍ତ୍ତ
ପାକିସ୍ତାନ ପକ୍ଷରୁ ହାଇବ୍ରିଡ ମଡେଲ୍ ପାଇଁ କିଛି ସର୍ତ୍ତ ରଖାଯାଇଛି । ଏଥିରେ ଗୋଟିଏ ସର୍ତ୍ତ ଏହା ଯେ, ଭାରତ ଯଦି ପାକିସ୍ତାନ ନ ଆସେ ତେବେ ଭବିଷ୍ୟତରେ ୨୦୩୧ ପର୍ଯ୍ୟନ୍ତ ଭାରତରେ ଯେତେ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ ସେହି ସମୟରେ ବି ହାଇବ୍ରିଡ ମଡେଲ୍ ଲାଗୁ ହେବ ଏବଂ ପାକିସ୍ତାନ ନିଜର ମ୍ୟାଚ୍ ଦୁବାଇରେ ଖେଳିବ । ଏହା ବ୍ୟତୀତ ପିସିବି ପକ୍ଷରୁ ରାଜସ୍ୱରେ ଅଧିକ ଅଂଶ ଦାବି କରାଯାଇଥିଲା । କିନ୍ତୁ ଏସବୁକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।