ନୂଆଦିଲ୍ଲୀ: ଆଡିଲେଡ୍ ଟେଷ୍ଟର ପ୍ରସ୍ତୁତି ସମୟରେ ଭାରତୀୟ ଦଳ ପାଇଁ ଭଲ ଖବର । ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ଏହା ପରେ ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଥିଲେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ସେ ପୁଣି ଥରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ କେବେ ଯୋଗ ଦେବେ ନେଇ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା । ଆଉ ଏହାର ସଦ୍ୟତମ ରିପୋର୍ଟ ଆସି ସାରିଛି । ଗମ୍ଭୀର ଭାରତୀୟ ଦଳ ସହ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି ।
ଇଏସପିଏନର କ୍ରିକଇନମ୍ଫୋ ରିପୋର୍ଟ ଅନୁଯାୟୀ, ଗମ୍ଭୀର ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା କାରଣରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ମଝିରେ ଭାରତ ଫେରିଥିଲେ । ତେବେ ସେ ସୋମବାର ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖରେ ଭାରତୀୟ ଦଳ ସହ ଯୋଗ ଦେବେ ଗମ୍ଭୀର । ଏହା ପରେ ତାଙ୍କ ଆଗରେ ସବୁଠୁ ବଡ କାମ ରହିଛି, ଆଡିଲେଡରେ ଖେଳା ଯିବାକୁ ଥିବା ପିଙ୍କ ବଲ ଟେଷ୍ଟରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିପରି ରହିବ ।
କାରଣ ପୁତ୍ର ସନ୍ତାନ ଜନ୍ମ କାରଣରୁ ପର୍ଥ ଟେଷ୍ଟ ଖେଳି ପାରି ନଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରି ସାରିଛନ୍ତି । କାନବେରାରେ ଅଭ୍ୟାସ ମ୍ୟାଚରେ ସେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ଦଳର ନେତୃତ୍ୱ ନେବେ । ପୁଣି ଶୁଭମନ ଗିଲ ଫିଟ୍ ହୋଇ ଅଭ୍ୟାସ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ତେଣୁ ଏହି ଦୁଇ ଓପନର ଆଗମନ ପରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ପରିବର୍ତ୍ତନ ନିଶ୍ଚିତ ।