ଭୁୁବନେଶ୍ୱର: ଓଡିଶାରେ ଗତ ପାଞ୍ଚ ମାସରେ ରାଜ୍ୟରେ ମହିଳାଙ୍କ ସହ ୪୧ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏଥିସହ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ୍ ୯୨୪୮ ମାମଲା ରୁଜୁ ହୋଇଛି । ମହିଳା ବିରୋଧୀ ଅପରାଧରେ ରାଜଧାନୀ ଭୁୁବନେଶ୍ୱର ସବୁଠୁ ଉପରେ ରହିଛି । ରାଜଧାନୀରେ ମହିଳାଙ୍କ ସହ ୪ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୧୬୧ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ୨୪ଜଣ ମହିଳା ଯୌତୁକଜନିତକାରଣରୁ ପ୍ରାଣ ହରାଇଛନ୍ତି । ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ମହିଳା ବିରୋଧୀ ହିଂସାର ବିସ୍ତୃତ ତଥ୍ୟ ରଖିଛନ୍ତି ।
ତଥ୍ୟ ଅନୁଯାୟୀ, ଚଳିତବର୍ଷ ଜୁନ ୧୦ତାରିଖରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ଉପରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୬୩୮ଟି ମାମଲା ରହିଥିବା ବେଳେ କଟକ ସହର ଓ ଗ୍ରାମୀଣ ଅଞ୍ଚଳରେ ମୋଟ ୬୯୧ଟି ମମଲା ରୁଜୁ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଭଦ୍ରକ ଓ କେନ୍ଦୁଝରରେ ୧୧ଜଣ ଲେଖାଏଁ, ଗଞ୍ଜାମରେ ୧୦ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୫ଜଣ ମହିଳା ଯୌତୁକଜନିତ କାରଣରୁ ପ୍ରାଣ ହରାଇଛନ୍ତି । ଦୁଷ୍କର୍ମର ମୋଟ ୫୦୬ଟି ମାମଲା, ପୋସ୍କୋ ଆକ୍ଟ ସମେତ ନାବାଳିକା ଦୁଷ୍କର୍ମ ଘଟଣାର ମୋଟ ୭୬୯ଟି ମାମଲା ମଧ୍ୟ ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।
ବିଧାନସଭାରେ ବିରୋଧୀ ବିଜେଡି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବର ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଥିଲେ ଯେ, ଏହି ୫ମାସ ମଧ୍ୟରେ ରାଜ୍ୟରେ ଯେଭଳି ଭାବେ ଅପରାଧ ବଢ଼ିଚାଲିଛି ସେଥିପାଇଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ ବିଜେପି ଦ୍ୱାରା ପ୍ରାୟୋଜିତ ଭାବେ ହେଉନାହିଁ। କିନ୍ତୁ ଏହି ହିଂସା ଓ ଅପରାଧ କିଭଳି ନ ହେବ ସେଥିପାଇଁ ବିଜେପି ସରକାର କଠୋର ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଥିଲେ ।