ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏ ନେଇ ରୁଷ ଦୂତାବାସ ପକ୍ଷରୁ ସୋମବାର ଏହାର ସୂଚନା ଦିଆଯାଇଛି। ରୁଷ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସୁଛନ୍ତି। କିନ୍ତୁ ପୁଟିନଙ୍କ ଗସ୍ତକୁ ନେଇ ତାରିଖ ସ୍ଥିର ହୋଇ ନାହିଁ। ଶୀଘ୍ର ଗସ୍ତ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇ ଆରମ୍ଭ ହେବାପରେ ଏହା ଭ୍ଲାଦିମିର ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ହେବ।
କ୍ରେମଲିନର ମୁଖପାତ୍ର ୟୁରି ଉଶାକୋଭ କହିଛନ୍ତି ଯେ, ଦୁଇ ଦେଶର ନେତାଙ୍କ ମଧ୍ୟରେ ବର୍ଷରେ ଥରୁଟିଏ ବୈଠକ କରିବା ନେଇ ଚୁକ୍ତିନାମା ହୋଇଛି। ଏଥର ଭାରତ ଗସ୍ତ କରିବାର ରୁଷର ପାଳି। ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ମିଳିଛି। ତେଣୁ ଆସସନ୍ତା ବର୍ଷ ଆରମ୍ଭରେ ପୁଟିନ ଭାରତ ଗସ୍ତ କରିବେ। ତାରିଖ ସ୍ଥିର ହୋଇ ନ ଥିଲେ ହେଁ ଶୀଘ୍ର ସ୍ଥିର ହୋଇଯିବ।
ପୁଟିନଙ୍କ ଏହି ଗସ୍ତ ବେଶ ମହତ୍ଵ ବହନ କରୁଛି, କାରଣ ଭାରତ ରୁଷ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଅପିଲ୍ କରି ଆସିଛି। ତେଣୁ ପୁଟିନଙ୍କ ଭାରତ ଗସ୍ତ ଉପରେ ଏବେ ସଭିଙ୍କ ନଜର ରହିବ। ରୁଷ ଓ ଭାରତର ସର୍ବୋଚ୍ଚ ନେତା ପ୍ରତି ବର୍ଷ ପରସ୍ପର ଦେଶକୁ ଗସ୍ତ କରିବା ନେଇ ପୂର୍ବ ନିର୍ଦ୍ଧାରିତ ରହିଛି। ଏହି ଆଧାରରେ ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ କରିଥିଲେ।
ଉଲ୍ଲେଖନୀୟ , ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ରୁଷ ଗସ୍ତ କରିଥିଲେ। ପୁଣି ଆସନ୍ତାବର୍ଷ କ୍ଵାଡ ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ସପ୍ତାହ ପୂର୍ବେ ମଧ୍ୟ କ୍ରେମଲିନର ପ୍ରେସ୍ ସଚିବ ଦିମତ୍ରୀ ପେସକୋଭ ପୁଟିନଙ୍କ ଭାରତ ଗସ୍ତର ସୂଚନା ଦେଇଥିଲେ।