ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ । ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ପଦବୀ ଖାଲି ପଡିଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୃହରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି । ସର୍ବାଧିକ ଗଞ୍ଜାମରେ ୪୫୦, ମୟୂରଭଞ୍ଜରେ ୩୦୯ ପଦବୀ ଖାଲି ପଡିଛି । ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତରୀ ପଦ ଖାଲି ପଡିଛି । ମୟୂରଭଞ୍ଜ ଓ ଗଞ୍ଜାମରେ ସର୍ବାଧିକ ୮୭ ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ରହିଛି । ସରକାର ଡାକ୍ତରୀ ପଦବୀ ପୂରଣ ଦିଗରେ କାମ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏସବୁ ପଦବୀ ପୂରଣ ହେବ ।
ସୂଚନାଯୋଗ୍ୟ, ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଅନେକ ଦଶନ୍ଧି ଧରି ଲାଗି ରହିଛି । ବିଜେଡି ୨୪ ସରକାରରେ ରହି ବି ଡାକ୍ତରୀ ପଦବୀ ପୂରଣ କରି ପାରିଲା ନାହିଁ । ଏ ନେଇ ରାଜଧାନୀ ଭୁବନେଶ୍ୱରରେ ଅନେକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଛି । ଏବେ ରାଜ୍ୟରେ ବିଜେପି ସରକାର ଆସିଛି । ନୂଆ ସରକାର ଉପରେ ଡାକ୍ତରୀ ଅଭାବ ସମସ୍ୟାର ସମାଧାନ ବଡ ଆହ୍ୱାନ ପାଲଟିଛି ।