ଭୁବନେଶ୍ୱର: ଯାତ୍ରା ମଞ୍ଚରେ ଲୋକଙ୍କୁ ମନୋରଞ୍ଜନ କରିବା ଆଳରେ କେତେବେଳେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଲାଣି ତ ଆଉ କେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରାଗଲାଣି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରୁ ଯାତ୍ରା ମଞ୍ଚ ଉପରେ ଘଟିଥିବା ଲୋମ ହର୍ଷଣକାରୀ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେଣୁ କଳା ନାଁରେ ଏଭଳି ଦୃଶ୍ୟକୁ ଦୃଢ଼ ନିନ୍ଦା କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ ବାବୁ ସିଂ । ଚଳଚ୍ଚିତ୍ର ଭଳି ଯାତ୍ରା ପାଇଁ ମଧ୍ୟ ସେନସର୍ ବୋର୍ଡ ରଖାଯିବା ଉଚିତ ବୋଲି ସେ କହିଛନ୍ତି ।
ବିଧାୟକ କହିଛନ୍ତି, ଯାତ୍ରା ପେଣ୍ଡାଲ ଉପରେ ଜୀଅନ୍ତା କୁକୁଡ଼ା ଏବଂ ଘୁଷୁରୀକୁ ଯେଉଁଭଳି ଭାବରେ ଛିନ୍ନ ବିଚ୍ଛିନ୍ନ କରି ହତ୍ୟା କରାଯାଇ ଖିଆଯାଉଛି, ଏହା ସମାଜ ବିରୋଧି କାର୍ଯ୍ୟ । ଲୋକଙ୍କୁ ମନୋରଞ୍ଜନ କରାଇବା ନାଁରେ ଏକ ଅପସଂସ୍କତିକୁ ଆଣି ଆମ ଉପରେ ଲଦି ଦିଆଯାଉଛି । ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ଏବଂ ଜଗନ୍ନାଥ ସଂସ୍କୃତି ରାଜ୍ୟରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦରକାର ।
ଯାତ୍ରା ପୂର୍ବରୁ ଯେଉଁଭଳି ନଗ୍ନ ଦୃଶ୍ୟ ପରିବେଷଣ ହେଉଛି, ଏହା ଆମ ସଂସ୍କୃତି ବିରୋଧୀ । ଏହା ବନ୍ଦ ହେବା ଦରକାର, ନ ହେଲେ ଆଗାମୀ ପୀଢ଼ି ଆମକୁ କ୍ଷମା କରିବେ ନାହିଁ । ସେଥିପାଇଁ ବିଧାୟକ ଆଜି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହା ସହିତ ଚଳଚ୍ଚିତ୍ରରେ ଯେଉଁଭଳି ଏକ ସେନସର୍ ବୋର୍ଡ ରହିଛି, ସେହିଭଳି ଯାତ୍ରାରେ ମଧ୍ୟ ରହିବା ଦରକାର । ଯାହା ଫଳରେ ଅଶ୍ଳୀଳ ଦୃଶ୍ୟ ଏବଂ ନୃତ୍ୟକୁ କଟା ଯିବ । ଏହା ଦ୍ୱାରା ଆମର କଳା ସଂସ୍କୃତି ବଞ୍ଚିବ । ସଂସ୍କୃତି ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିଛନ୍ତି ବିଧାୟକ ଶ୍ରୀଯୁକ୍ତ ସିଂହ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ରାଳବ ଅଞ୍ଚଳରେ ରାମାୟଣ ନାଟକ ପରିବେଷଣ ବେଳେ ନୃସଂଶତା ଦୃଶ୍ୟକୁ ପରିବେଷଣ କରାଯାଇଥିଲା । ବlଳି ଓ ସୁଗ୍ରୀବ ଭୂମିକାରେ ଥିବା କଳାକାର ବିଷଧର ସାପ ସହ ଖେଳିଥିଲେ । ସେହିପରି ବୀରାୟୁଧ ରାକ୍ଷସର ଭୂମିକାରେ ଥିବା କଳାକାର ଜୀବନ୍ତ ଘୁଷୁରୀକୁ ନାଟକ ମଞ୍ଚରେ ଓଲଟା ଟଙ୍ଗାଇ ନୃଶଂସ ଭାବେ ହତ୍ୟା କରି ସର୍ବ ସମ୍ମୁଖରେ କଞ୍ଚା ଖାଇଥିଲେ । ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ । ଏହି ଦୃଶ୍ୟରେ ଅଭିନୟ କରିଥିବା ଅନ୍ୟ କଳାକାରମାନେ ଫେରାର ଅଛନ୍ତି ।