ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ସୂଚୀ ଜାରି ହୋଇଛନ୍ତି । ଆସନ୍ତାକାଲିଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି ।
ଆସନ୍ତାକାଲି ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ନୂଆଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନରେ ବାହାରିବେ ରାଷ୍ଟ୍ରପତି । ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସେ ସିଧାସଳକ ବାହାରି ୫.୩୦ମିନିଟରେ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।
ଏହା ପରେ ଡିସେମ୍ବର ୪ ତାରିଖ ବୁଧବାର ଦିନ ପୁରୀ ଗସ୍ତ କରିବେ । ସେଠାରେ ସେ ବାୟୁ ସେନା ଦିବସରେ ଯୋଗଦେବେ । ଏହା ପୂର୍ବରୁ ୧୦.୧୫ରୁ ୧୦.୪୦ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୧୦.୫୦ରେ ପୁରୀ ସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଏହା ପରେ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ୍ ବିଚରେ ବାୟୁ ସେନା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଡିସେମ୍ବର ୫ ତାରିଖ ଗୁରୁବାର ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ" ର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ସହିତ ଭୁବନେଶ୍ୱରରେ ନୂତନ ଜୁଡ଼ିସିଆଲ୍ କୋର୍ଟ କମ୍ଲେକ୍ସର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ।
ଡିସେମ୍ବର ୬ ଓ ୭ ତାରିଖରେ ଦୁଇ ଦିନ ଧରି ମୟୁରଭଞ୍ଜରେ ରହଣିର ବ୍ୟବସ୍ଥା ହୋଇଛି । ୬ ତାରିଖ ଶୁକ୍ରବାର ଦିନ ସକାଳ ୯ଟାରେ ରାଜଭବନରୁ ବାହାରି ରାଷ୍ଟ୍ରପତି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ପୂର୍ବାହ୍ନ ୯.୧୫ମିନିଟ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ବିମାନ ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସରେ ୧୦.୧୫ମିନିଟ ସମୟରେ ଅବତରଣ ପରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା ୦୫ମିନିଟରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ସଡକପଥରେ ନିଜ ଜନ୍ମ ଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ସମୟ ବିତାଇବେ । ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ଵାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ ।
ଡିସେମ୍ବର ୭ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଆସି ୧୦ଟା ୪୫ମିନିଟ ସମୟରେ ବାଙ୍ଗରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ପୂର୍ବାହ୍ନ ୧୧ଟା ସମୟରେ ବାହାରି ବାଙ୍ଗରିପୋଷୀ ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ,ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତିକରଣ, ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ମଧ୍ୟାହ୍ନ ୧୨ଟା ୧୫ମିନିଟରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।