ଭୁବନେଶ୍ୱର : ଆଜି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗରେ କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଛି। ସକାଳୁ ସକାଳୁ ଭୁବନେଶ୍ୱର ୪ନଂ ମାର୍କେଟରେ ଚଢ଼ାଉ କରାଯାଇଥିବା ବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ କେହି ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ। ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ। ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବ୍ୟବସାୟୀଙ୍କୁ ନିଜ ଦୋକାନରେ ରେଟ୍ ଚାର୍ଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଆଜି ସକାଳେ କଟକ ଛତ୍ର ବଜାରରେ ଆଳୁ କିଲୋପ୍ରତି ୫୦ ଟଙ୍କା ବିକ୍ରି ହେଉଥିଲା। ଏନେଇ ଖବର ପାଇବା ପରେ କଟକ ଛତ୍ରବଜାରରେ ବିଭିନ୍ନ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାକରାଯାଇଥିଲା । ଏହାପରେ ଆଳୁ କିଲୋପ୍ରତି ଛତ୍ର ବଜାରରେ ୪୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ସୂଚନା ରହିଛି।
ଯୋଗାଣ ବିଭାଗ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର ସୂଚନା ଦେଇ କହିଛନ୍ତି, ଲୋକେ ଆଳୁ ଦର ବଢ଼ିଯିବା ଆଶଙ୍କାରେ ଭୟଭୀତ ହୋଇ ଆଳୁ କିଣୁଛନ୍ତି। ଆଳୁ ବଜାରରେ ପ୍ରଚୁର ଅଛି। ଆଜି ସକାଳେ ୫ଟି ଟ୍ରକ୍ ଆଳୁ ପହଞ୍ଚିଛି। ଉତ୍ତର ପ୍ରଦେଶରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୫ରୁ ୩୬ ଶହ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ଆଳୁ କୁଇଣ୍ଟାଲ ପ୍ରତି ୩୭ରୁ ୩୮ ଶହ ରହିଛି। ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟ୍ରକ୍ ରହିଛି। ତେଣୁ ଅଧିକ ଟଙ୍କାରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।