ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଦୀର୍ଘ ଦିନ ଧରି ଚାଲିଥିବା ତିକ୍ତତା ଓ ସଂଘର୍ଷର ଅନ୍ତ ଘଟାଇବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚୁକ୍ତିକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଏହା ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ମୁକ୍ତ ବ୍ୟାପାରକୁ ପୁଣିଥରେ ସୁଦୃଢ଼ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି, ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ମୁଁ ସ୍ୱାଗତ କରୁଛି। ଏହି ସଂଘର୍ଷ କାରଣରୁ ସାରା ବିଶ୍ୱରେ ଗମ୍ଭୀର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିଲା ଏବଂ ଅନେକ ଦେଶ ଧନଜୀବନ ହରାଇଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଆଶା କରୁଛି ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରିବ ଏବଂ ସାମୁଦ୍ରିକ ପରିବହନ ତଥା ବାଣିଜ୍ୟିକ ସ୍ୱାଧୀନତା ସୁରକ୍ଷିତ ରହିବ। ଆଗାମୀ ଦିନରେ ଆଲୋଚନା ମାଧ୍ୟମରେ ଅବଶିଷ୍ଟ ବିବାଦର ଏକ ସ୍ଥାୟୀ ସମାଧାନ ହେବ ବୋଲି ଭାରତ କାମନା କରୁଛି।
ଡୋନାଲ୍ଡ ଟ୍ରମ୍ପ ଘୋଷଣା କଲେ ଶାନ୍ତି ଚୁକ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍'ରେ ଏହି ବଡ଼ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପ୍ରକ୍ରିୟା ପାଇଁ ସହମତି ପ୍ରକାଶ ପାଇଛି। ସ୍ୱିଜରଲ୍ୟାଣ୍ଡରେ ଉଭୟ ଦେଶ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିବେ।
ଚୂଡ଼ାନ୍ତ ଚୁକ୍ତିନାମା ସମ୍ପୂର୍ଣ୍ଣ ରୂପେ ଲାଗୁ ନହେବା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ସାରା ବିଶ୍ୱର ବାଣିଜ୍ୟିକ କାରବାର ବିଶେଷ କରି ଅଶୋଧିତ ତୈଳ ବଜାର ପାଇଁ ଏହି ଚୁକ୍ତି ବେଶ୍ ଆଶ୍ୱାସନାଜନକ ବୋଲି ବିବେଚନା କରାଯାଉଛି।