ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ପୋଷାକ ଏବଂ ପରିଧାନ ନିୟମରେ ଏକ ଐତିହାସିକ ଓ ବଡ଼ ଧରଣର ପରିବର୍ତ୍ତନ କରିଛି। ସେନା ପକ୍ଷରୁ ନୂତନ ପୋଷାକ ନୀତି 'ଆର୍ମି ୟୁନିଫର୍ମସ-୨୦୨୬'ଜାରି କରାଯାଇଛି। ଏହି ନୂଆ ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ସେନାର ଗୌରବମୟ ପରମ୍ପରାକୁ ବଜାୟ ରଖିବା ସହ ପୋଷାକକୁ ଅଧିକ ଆଧୁନିକ, ବ୍ୟବହାରୋପଯୋଗୀ ଏବଂ ଭାରତୀୟ ସଂସ୍କୃତି ଅନୁରୂପ କରିବା। ଏହାସହ ବ୍ରିଟିଶ୍ ଶାସନ କାଳର କେତେକ ପୁରୁଣା ନିୟମ, ଶବ୍ଦ ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ଏଣିକି ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯିବ।
ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ, ସେନାର ସମସ୍ତ ପୋଷାକକୁ ସହଜ ଏବଂ ସ୍ପଷ୍ଟ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ସମସ୍ତ ୟୁନିଫର୍ମକୁ ଅଲଗା ଅଲଗା ନମ୍ବର ଦିଆଯାଇଛି, ଯାହାଦ୍ୱାରା ପ୍ରଶାସନିକ କାର୍ଯ୍ୟ ଅଧିକ ସରଳ ହୋଇପାରିବ। ସେନାର ପ୍ରମୁଖ ୪ଟି ବର୍ଗ ଯଥା- ଆନୁଷ୍ଠାନିକ ଉତ୍ସବ, କାର୍ଯ୍ୟସ୍ଥଳ , ମେସ୍ ଏବଂ କମ୍ବାଟ୍ ଡ୍ରେସ୍ ବ୍ୟବସ୍ଥା ପୂର୍ବଭଳି ଜାରି ରହିବ।
ଏଣିକି ଲାଗୁ ହେବ ‘ସମାନ ୟୁନିଫର୍ମ ସିଷ୍ଟମ’
ଏହି ନୂତନ ସଂସ୍କାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭାରତୀୟ ସେନାର ତିନୋଟି ଯାକ ଅଙ୍ଗ- ଥଳସେନା, ନୌସେନା ଏବଂ ବାୟୁସେନା ପାଇଁ ଏକ ସମାନ ୟୁନିଫର୍ମ ନମ୍ବରିଂ ସିଷ୍ଟମ ଲାଗୁ କରାଯିବ। ଏହାଦ୍ୱାରା ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ, ସ୍ପଷ୍ଟତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଏହାସହିତ ଭାରତୀୟ ସାଂସ୍କୃତିକ ପରିଚୟକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଆନୁଷ୍ଠାନିକ ନାଗରିକ କାର୍ଯ୍ୟକ୍ରମ ଏବଂ ସୌଜନ୍ୟମୂଳକ ସାକ୍ଷାତକାର ସମୟ ପାଇଁ ପାରମ୍ପରିକ ହାଫ୍ ଜ୍ୟାକେଟ୍କୁ ସରକାରୀ ଭାବେ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଯେ, ଭାରତୀୟ ନୌସେନା ପୂର୍ବରୁ ହିଁ ଏହି ପୋଷାକକୁ ଆପଣାଇ ସାରିଛି।
ସେନାରେ ବ୍ୟବହାର କରାଯାଉଥିବା ବ୍ରିଟିଶ୍ ଅମଳର "ରୟାଲ୍" ଭଳି ଶବ୍ଦଗୁଡ଼ିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ମେସ୍ ଡ୍ରେସ୍ ନମ୍ବର ୫ ଏବଂ ୬ରୁ ପାଉଚ୍ ବେଲ୍ଟ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରିଭ୍ୟୁଇଂ ଅଫିସରଙ୍କ ପାଇଁ ଖଣ୍ଡା ଧାରଣ କରିବା ବାଧ୍ୟତାମୂଳକ ନୁହେଁ, ଏହାକୁ ଇଚ୍ଛାଧୀନ କରାଯାଇଛି।