ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର ଉପରମୁହାଁ । ସପ୍ତାହକ ଭିତରେ କେଜି ପିଛା ୩୦ ଟଙ୍କା ବଢି ୬୦ ଟଙ୍କା ଟପିଛି ଆଳୁ ଦର । ରାଜ୍ୟରେ ଆଳୁର ଅଭାବନୀୟ ପରିସ୍ଥିତିର ମୁକାବିଲା ଓ ଦର ନିୟନ୍ତ୍ରଣ ପାଇଁ ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ଓଡିଆଙ୍କୁ ୟୁପି ଆଳୁ ରୁଚୁନି ।
ସେପଟେ ମନ୍ତ୍ରୀ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ମିଳିବ ଆଳୁ। ଦର ନିୟନ୍ତ୍ରଣକୁ ଆସିବ । ଉତ୍ତର ପ୍ରଦେଶରୁ ଆଳୁ ଆସି ସୋମବାର ପହଞ୍ଚିବ ବୋଲି ଗତକାଲି କହିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଉ ଆଜି ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି । ତେଣୁ ଦର ୪୦ ତଳକୁ ଖସିବ ବୋଲି ଆଶା କରାଯାଉଛି ।
ତେବେ ଗ୍ରାହକଙ୍କ କହିବା କଥା ପଶ୍ଚିମବଙ୍ଗ ଆଳୁରେ ଯେଉଁ ସ୍ୱାଦ ରହିଛି ତାହା ଉତ୍ତର ପ୍ରଦେଶ ଆଳୁରେ ନାହିଁ । ସେପଟେ ବ୍ୟବସାୟୀ କହୁଛନ୍ତି ୟୁପିରୁ ଆଳୁ ଆଣିଲେ ବହୁତ ସଢା ବାହାରୁଛି । କାରଣ ୟୁପିରୁ ଆଳୁ ପହଞ୍ଚିବାରେ ତିନି ଦିନ ଲାଗୁଛି । ଗାଡିରୁ ଅନଲୋଡ ହୋଇ ଆମ ପାଖକୁ ଆସିବା ବେଳକୁ ବସ୍ତାରେ ୮ରୁ ୧୦ କେଜି ସଢା ବାହାରୁଛି ।
ଗତକାଲି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ମନୋଜ ଜେନା ଓ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି ଯେ ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇବାରୁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ନ ପହଞ୍ଚିବାରୁ ଏହାର ଦର ୬୦ ଟପିଛି ।