ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ‘କୁ ନେଇ କ୍ରେଜ ଚରମରେ ସୀମାରେ ପହଞ୍ଚିଛି । ଡିସେମ୍ବର ୫ରେ ସିନେମା ଘରକୁ ଆସୁଥିବା ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବାଉତ୍ସାହ ଦେଖିବାକୁ ମିଳିଛି। ଏହାର ଆଡଭାନ୍ସ ବୁକିଂରୁ ଏହା ସ୍ପଷ୍ଟ ବାରି ହୋଇ ପଡୁଛି । ନଭେମ୍ବର ୩୦ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇଥିବା ଆଡଭାନ୍ସ ୪୮ ଘଣ୍ଟା ନ ହେଉଣୁ ୧୦ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଲାଣି। ଏମିତିରେ ଟ୍ରେଡ୍ ଆନାଲିଷ୍ଟ ପୂର୍ବାନୁମାନ କରିଛନ୍ତି ଯେ, ଫିଲ୍ମ ପ୍ରଥମ ଦିନରେ ଆୟର ସମସ୍ତ ରେକର୍ଡ ଭାଙ୍ଗି ଦେବ।
ସାକନିଲକର ରିପୋର୍ଟ ଅନୁଯାୟୀ, ସୋମବାର ରାତି ୧୦ଟା ସୁଦ୍ଧା ଫିଲ୍ମର ମୋଟ୍ ୧୦ ଲକ୍ଷ ୧୧ ହଜାର ୨୪୭ ଟିକେଟ୍ ଆଡଭାନ୍ସ ବୁକିଂ ହୋଇ ସାରିଛି। ଆଡଭାନ୍ସ ବୁକିଂ ଜରିଆରେ ଫିଲ୍ମ ୩୧.୬୧ କୋଟି ଟଙ୍କାର ଆୟ କରି ସାରିଛି। ଫିଲ୍ମ ରିଲିଜକୁ ଆହୁରି ତିନି ଦିନ ସମୟ ବାକି ଥିବାରୁ ଡିସେମ୍ବର ୫ ତାରିଖ ସୁଦ୍ଦା ଫିଲ୍ମର ୨୦ ଲକ୍ଷରୁ ଅଧିକ ଟିକେଟ୍ ଆଡଭାନ୍ସ ବୁକିଂ କରି ସାରିଥିବ। କେବଳ ଆଡଭାନ୍ସ ବୁକିଂରୁ ଫିଲ୍ମ ୫୦ କୋଟିରୁ ଅଧିକ ବ୍ୟବସାୟ କରି ନେବ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନରେ ୩୦୦ କୋଟିରୁ ଅଧିକ ବ୍ୟବସାୟ କରି ବକ୍ସଅଫିସର ସବୁ ରେକର୍ଡ ଧ୍ୱସ୍ତ କରିବ। ସାକନିଲ୍କର ରିପୋର୍ଟ ଅନୁସାରେ ‘ପୁଷ୍ପା-୨: ଦ ରୁଲ‘ ଆନ୍ଧ୍ର ପ୍ରଦେଶ/ତେଲେଙ୍ଗାନାରୁ ୧୦୫ କୋଟିର ବ୍ୟବସାୟ କରିବ । ସେହିପରି କର୍ଣ୍ଣାଟକରୁ ୨୦ କୋଟି, ତାମିଲନାଡୁରୁ ୧୫ କୋଟି, କେରଳରୁ ୮ କୋଟି ଓ ଭାରତର ଅନ୍ୟ ରାଜ୍ୟରୁ ୮୫ କୋଟିର କାରବାର କରିପାରେ। ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ହିସାବରେ ଫିଲ୍ମ ପ୍ରଥମ ଦିନରେ ୨୫୦ରୁ ୨୭୫ କୋଟି ଟଙ୍କାର ବକ୍ସ ଅଫିସ କଲେକ୍ସନ କରିପାରେ। ଫିଲ୍ମର କ୍ରେଜ ଯେମିତି ଦେଖିବାକୁ ମିଳୁଛି ବକ୍ସ ଅଫିସରେ ନୂଆ ଇତିହାସ ରଚିବ ‘ପୁଷ୍ପା-୨: ଦ ରୁଲ‘ ।
ସୂଚନାଯୋଗ୍ୟ, ପୁଷ୍ପା ୨ର ବଜେଟ୍ ୪୦୦ କୋଟି ରହିଛି । ଯେଉଁଭଳି ଫିଲ୍ମକୁ ନେଇ କ୍ରେଜ ରହିଛି, ତାହା ଦେଖି ଲାଗୁଛି ଫିଲ୍ମ ପ୍ରଥମ ସପ୍ତାହରେ ନିଜର ବଜେଟ୍ ଆଦାୟ କରି ଦେବ । ନିକଟରେ ଫିଲ୍ମର ଟ୍ରେଲର ବିହାରର ରାଜଧାନୀ ପାଟନାରେ ରିଲିଜ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଅଦ୍ଭୁତପୂର୍ବ ଭିଡ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା ।