ନୂଆଦିଲ୍ଲୀ: ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଜିତିବା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଭାରତୀୟ ଦଳ ତିନି ଦ୍ରୁତ ବୋଲର, ଜଣେ ଦ୍ରୁତ ବୋଲର ଅଲରାଉଣ୍ଡର ଏବଂ ଜଣେ ସ୍ପିନ ଅଲରାଉଣ୍ଡର ସହ ମଇଦାନକୁ ଓହ୍ଲାଇଥିଲା । ଦଳର ଏହି ରଣନୀତି ସଫଳ ମଧ୍ୟ ହୋଇଥିଲା । ପ୍ରଥମ ଟେଷ୍ଟରେ ଦୁଇ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ସୁଯୋଗ ମିଳି ନ ଥିଲା । ଏବେ ଆଡିଲେଡରେ ଖେଳା ଯିବାକୁ ଥିବା ପିଙ୍କ ବଲ୍ ଟେଷ୍ଟରେ ମଧ୍ୟ ଅଶ୍ୱିନ ଓ ଜାଡେଜାଙ୍କୁ ସ୍ଥାନ ମିଳିବା ମୁସ୍କିଲ ।
ବର୍ଡର-ଗାଭାସ୍କର ଟ୍ରଫିରେ କମେଂଟ୍ରି କରୁଥିବା ଭାରତ ତାରକା ବ୍ୟାଟର ଚେତେଶ୍ୱର ପୂଜାରା କହିଛନ୍ତି ଯେ, ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ନାହିଁ । ଆଉ ଏହାର କାରଣ ମଧ୍ୟ ପୂଜାରା କହିଛନ୍ତି ।
ପୂଜାରା କହିଛନ୍ତି, ପର୍ଥ ଟେଷ୍ଟରେ ଭାରତୀୟ ଦଳ ପାଖରେ ପୂର୍ଣ୍ଣ ବୋଲିଂ ଆକ୍ରମଣ ରହିଥିଲା । ସ୍ପିନର ଭାବେ ସୁନ୍ଦର ଦଳ ପାଇଁ ଭଲ ବିକଳ୍ପ ରହିଛନ୍ତି । କାରଣ ତାଙ୍କ ନିକଟରେ ବ୍ୟାଟିଂ କରିବାର ବେଶ ଦକ୍ଷତା ଓ ସାମର୍ଥ୍ୟ ରହିଛି । ତେଣୁ ଭାରତୀୟ ଦଳ ସମାନ ଚୂଡାନ୍ତ ଏକାଦଶକୁ ନେଇ ଆଡିଲେଡ ମଇଦାନକୁ ଓହ୍ଲାଇପାରେ । ବୁମରାଙ୍କ ସହିତ ସିରାଜ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ହର୍ଷିତ ରାଣା ମିଳିଥିବା ସୁଯୋଗର ଫାଇଦା ଉଠାଇ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ।
ପୂଜାରା ଏହା ମଧ୍ୟ କହିଛନ୍ତି, ନୀତିଶ କୁମାର ରେଡ୍ଡୀ ଦ୍ରୁତ ବୋଲର ଭାବେ ଦଳ ପାଇଁ ଚତୁର୍ଥ ବିକଳ୍ପ ରହିଛନ୍ତି । ସେ ବୋଲିଂ କରିବା ସହ ବ୍ୟାଟିଂରେ ସିଦ୍ଧହସ୍ତ । ତାଙ୍କ ସହିତ ପଞ୍ଚମ ବୋଲର ଭାବେ ୱାଶିଂଟନ ସୁନ୍ଦର ମଧ୍ୟ ରହିଛନ୍ତି । ଚୂଡାନ୍ତ ଏକାଦଶରେ ସୁନ୍ଦର ରହିବାର ଏକ ମାତ୍ର କାରଣ ସେ ଭଲ ବ୍ୟାଟିଂ କରି ପାରନ୍ତି । ତେଣୁ ମୋ ହିସାବରେ ସୁନ୍ଦର ଆଡିଲେଡରେ ଖେଳିବେ । ଶୁଭମନ ଗିଲ୍ ଓ ରୋହିତ ଶର୍ମା ଦଳକୁ ଫେରିଥିବାରୁ ଦଳ ଆହୁରି ସନ୍ତୁଳିତ ହୋଇଛି ।
ସେ ଏହା ମଧ୍ୟ କହିଛନ୍ତି, ଯଦି ଦଳ ଶୀଘ୍ର କିଛି ୱିକେଟ୍ ହରାଏ ତେବେ ନିମ୍ନ ମଧ୍ୟକ୍ରମରେ ସୁନ୍ଦର ଭଲ ଯୋଗଦାନ ଦେଇ ପାରିବେ । ଏହି ହିସାବରେ ଅଶ୍ୱିନ ଓ ଜାଡେଜାଙ୍କ ଦ୍ୱିତୀୟ ଟେଷ୍ଟ ଖେଳିବାର ସମ୍ଭାବନା କମ ରହିଛି ।