ମୁମ୍ବାଇ : ଶୁକ୍ରବାର ଭାରତୀୟ ମହିଳା ଓ ପୁରୁଷ କ୍ରିକେଟ ଦଳର ଦିନିକିଆ ମ୍ୟାଚ ପାଇଁ ଜର୍ସି ଉନ୍ମୋଚନ କରାଯାଇଛି । ଗତକାଲି ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ ପାଇଁ ନୂଆ ଦିନିକିଆ ଜର୍ସି ଉନ୍ମୋଚନ କରାଯାଇଥିଲା। ଏହି ନୂଆ ଦିନିକିଆ ଜର୍ସି ଉନ୍ମୋଚନ ଅବସରରେ ବିସିସିଆଇ ସଭାପତି ତଥା ଡିସେମ୍ବର ପହିଲାରୁ ଆଇସିସି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ସଚିବ ଜୟ ଶାହା, ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ଆସନ୍ତା ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇପାରୁନଥିବାବେଳେ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ପାଇଁ ଦିନିକିଆ ଜର୍ସି ଉନ୍ମୋଚନ କରାଯାଇଛି । ଏହି ନୂଆ ଦିନିକିଆ ଜର୍ସିର ବିଶେଷତା ପୂର୍ବ ଜର୍ସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ନୂଆ ଜର୍ସିରେ ଏଥର କାନ୍ଧରେ ତ୍ରିରଙ୍ଗା ଦେଖିବାକୁ ମିଳିଛି। ବିସିସିଆଇ ପକ୍ଷରୁ ଜର୍ସି ଲଞ୍ଚର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
ନୂଆ ଜର୍ସିକୁ ଭାରତୀୟ ପୁରୁଷ ଦଳ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ପିନ୍ଧିବ । ତେବେ ଏହାପୂର୍ବରୁ ଆସନ୍ତା ଡିସେମ୍ବର ମାସରେ ମହିଳା ଦଳ ପ୍ରଥମେ ନୂଆ ଜର୍ସି ପିନ୍ଧିବ। ଡିସେମ୍ବର ୫ରେ ବ୍ରିସବେନରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।