ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଛି ସକରାତ୍ମକ ଖବର। ଆଇସିସି ପକ୍ଷରୁ ଅଲଟିମେଟମ ପରେ ନରମିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)। ହାଇବ୍ରିଡ ମୋଡେଲ୍ ଗ୍ରହଣ କରିବାକୁ ପିସିବି ସହମତି ପ୍ରକାଶ କରିଛି। କିନ୍ତୁ ଏଥିପାଇଁ ଦୁଇଟି ସର୍ତ୍ତ ରଖିଛି। ଜାତୀୟ ଗଣମାଧ୍ୟମ ଆଜତକରୁ ଏହି ଖବର ପ୍ରକାଶ ପାଇଛି। ତେବେ ପାକିସ୍ତାନ ତରଫରୁ ଆନୁଷ୍ଠାନିକ ଭାବେ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।
ପିସିବିର ପ୍ରଥମ ସର୍ତ୍ତ ହେଉଛି ଲାହୋରକୁ ଫାଇନାଲ୍ ମ୍ୟାଚ୍ ପାଇଁ ବ୍ୟାକଅପ୍ରେ ରଖାଯାଉ। ଯଦି ଭାରତ ଫାଇନାଲ୍ ନ ପହଞ୍ଚେ ତେବେ ଲାହୋରରେ ଫାଇନାଲ୍ ମ୍ୟାଚ୍ ଖେଳାଯାଉ। ଦ୍ଵିତୀୟ ସର୍ତ୍ତ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯାଏ ତେବେ ହାଇବ୍ରିଡ ମୋଡେଲ୍ ଲାଗୁ କରାଯାଉ। ଭାରତୀୟ ଦଳ ପରି ପାକିସ୍ତାନ ମଧ୍ୟ ନିଜର ମ୍ୟାଚ୍ ଅନ୍ୟ ଦେଶରେ ଖେଳିବ।
ଯଦି ପାକସ୍ତାନ ହାଇବ୍ରିଡ ମୋଡେଲ୍ ସ୍ଵୀକାର କଲେ ଭାରତର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳାଯିବ। ବାକି ଦେଶଗୁଡ଼ିକର ସମସ୍ତ ମୁକାବିଲା ପାକିସ୍ତାନରେ ଆୟୋଜିତ ହେବ। ଯଦି ଟୁର୍ଣ୍ଣାମେଣ୍ଟ ହାତରୁ ଖସେ ତେବେ ପିସିବିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ଦଳ ୫୯.୭୩ କୋଟି ଟଙ୍କା ଆୟୋଜକ ଶୁଳ୍କ ହରାଇପାରେ।
ସୂଚନଯୋଗ୍ୟ, ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି କରଯାଇନି। ସୁରକ୍ଷା କାରଣରୁ ଭାରତୀୟ ଦଳକୁ ପାକିସ୍ତାନ ଯିବାକୁ ମନା କରି ଦେଇଛି। ତେଣୁ ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଉ ବୋଲି ଭାରତ ଦାବି କରିଥିଲା। କିନ୍ତୁ ପାକିସ୍ତାନ ହାଇବ୍ରିଡ ମୋଡେଲ୍ ଗ୍ରହଣ କରିବ ନାହିଁ ବୋଲି ନିଜ ଜିଦିରେ ଅଟଳ ଥିଲ। ତେଣୁ ଜାରି ଗତିରୋଧର ସମାଧାନ ପାଇଁ ନଭେମ୍ବର ୨୯ରେ ଆଇସିସି ଜରୁରୀକାଳୀନ ବୈଠକ ଡକାଇଥିଲା। ଏଥିରେ ଆଇସିସି ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ, ହାଇବ୍ରିଡ ମୋଡେଲ୍ ଗ୍ରହଣ ନ କଲେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ହାତରୁ ଖସିବ।