ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଅଧ୍ୟକ୍ଷ ପଦ ଭାବେ ଜୟ ଶାହ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ଆଇସିିସି ଏହାର ସୂଚନା ଦେଇଛି । ଜୟ ଶାହଙ୍କ ପାଇଁ ପ୍ରଥମ କାମ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରହିଛି । ଏହାର ଆୟୋଜନ ଅଧିକାର ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ରହିଛି । ତେବେ ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ ବଡ କାମ ହେଉଛି ଅଲିମ୍ପିକ୍ସ କ୍ରୀଡାରେ କ୍ରିକେଟକୁ ସାମିଲ କରିବା ।
ଆଇସିସି ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଜୟ ଶାହ କ୍ରିକେଟକୁ ବିଶ୍ୱରେ ଅଧିକ ବ୍ୟାପ୍ତ କରିବା ପାଇଁ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି । ଏଥିରେ ୨୦୨୮ ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସ କ୍ରୀଡା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଆଇସିସି ଚେୟାରମ୍ୟାନ ପଦ ସମ୍ଭାଳିବା ପରେ ଜୟ ଶାହ କହିଛନ୍ତି, ଆଇସିସିର ଅଧ୍ୟକ୍ଷ ଭୂମିକାରେ ରହି ନିଜକୁ ଗୌରାନ୍ୱିତ ଅନୁଭବ କରୁଛି । ଏହା କ୍ରୀଡା ପାଇଁ ରୋମାଞ୍ଚକର ସମୟ, କାରଣ ଆମେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଛୁ । କ୍ରିକେଟକୁ ପୂର୍ବାପେକ୍ଷା ଆହୁରି ଲୋକପ୍ରିୟ ଓ ଆଦୃତ କରିବାକୁ ଉଦ୍ୟମ କରୁଛୁ ।
କ୍ରିକେଟ୍ ପ୍ରଶାସନ କ୍ଷେତ୍ରରେ ନିଜର ଅନୁଭବ କାରଣରୁ ଆଜି ଜୟ ଶାହ ଆଇସିସିର ଚେୟାରମ୍ୟାନ ହୋଇ ପାରିଛନ୍ତି । ଜୟ ଶାହଙ୍କ ଯାତ୍ରା ୨୦୦୯ରେ ଆରମ୍ଭ ହୋଇଥିଲା । ଏହି ଯାତ୍ରା ତାଙ୍କର ଜିଲ୍ଲା ଓ ରାଜ୍ୟସ୍ତରରେ ଆରମ୍ଭ ହୋଇଥିଲା । ଗୁଜରାଟ କ୍ରିକେଟ୍ ଆସୋସିଏସନକୁ ଆଗକୁ ବଢାଇ ନେବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ୨୦୧୯ରେ ଜୟ ଶାହଙ୍କୁ ବିସିସିଆଇର ସବୁଠୁ କମ ବୟସରେ ସଚିବ ଭାବେ ନିଯୁକ୍ତି କରାଯାଇଥିଲା । ଆଉ ଏହି ସମୟରେ ସେ ରେକର୍ଡ ଭାବେ ଆଇପିଏଲ୍ ମିଡିଆ ରାଇଟ୍ସ ଡିଲ୍ କରିଥିଲେ ।
ଜୟ ଶାହଙ୍କ ସଚିବ ଥିବା ଅମଳରେ ମହିଳା ପ୍ରିମିୟର ଲିଗ୍, ନୂଆ ଅତ୍ୟାଧୁନିକ ଏକ୍ସିଲେନ୍ସ ସେଣ୍ଟର ନିର୍ମାଣ କରାଇଥିଲେ । ଟେଷ୍ଟ କ୍ରିକେଟକୁ ଅଧିକ ପ୍ରୋତ୍ସାହନ ଦେବା ଦିଗରେ ଅନେକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ । ଭାରତୀୟ କ୍ରିକେଟକୁ ନୂତନ ଶିଖରକୁ ନେବାରେ ସେ ସାହାଯ୍ୟ କରିଥିଲେ । ଏହି ସମୟରେ ଜୟ ଶାହ ଏସିୟ କ୍ରିକେଟ୍ କାଉନସିଲ ଅର୍ଥାତ ଏସିସିର ଚେୟାରମ୍ୟାନ ଭାବେ ଦୁଇ ଥର ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ । ସେ ଆଇସିସିର ଫାଇନାନ୍ସ ଆଣ୍ଡ କମର୍ସିଆଲ ଆଫାୟର୍ସ କମିଟିର ଚେୟାରମ୍ୟାନ ଥିଲେ ।