ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି-୨୦୨୫କୁ ନେଇ ବିସିସିଆଇ ଓ ପିସିବି ମୁହାଁମୁହିଁ ହୋଇଥିବା ବେଳେ ଏବେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରସଙ୍ଗ ବୋଲି କହିଛନ୍ତି। ରାଜନୀତି ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରଶାସନିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ନଭେମ୍ବର ୨୯ରେ ଆଇସିସି ବୈଠକ ହେବାକୁ ଯାଉଥିବା ବେଳେ ଆଫ୍ରିଦୀ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଭାରତୀୟ ଦଳର ପାକିସ୍ତାନ ଗସ୍ତ ଏବଂ ହାଇବ୍ରିଡ୍ ମଡେଲ ବିଷୟରେ ଆଲୋଚନା ହୋଇପାରେ।
ପାକିସ୍ତାନର ଏହି କିମ୍ବଦନ୍ତୀ କ୍ରିକେଟର ସୋସିଆଲ ମିଡିଆରେ ଲେଖିଛନ୍ତି, କ୍ରୀଡ଼ାକୁ ରାଜନୀତି ସହ ଯୋଡ଼ି ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟକୁ ଏକ ବିପଜ୍ଜନକ ପରିସ୍ଥିତିରେ ପକାଇଦେଇଛି। ବିଶେଷ କରି ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ୫ ଥର ଭାରତ ଗସ୍ତ କରିଥିବାରୁ ହାଇବ୍ରିଡ୍ ମଡେଲକୁ ବିରୋଧ କରିବାକୁ ପିସିବିର ନିଷ୍ପତ୍ତିକୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏଥିରେ ୨୬/୧୧ ଆକ୍ରମଣ ପରେ ହ୍ୱାଇଟ୍ ବଲ୍ ଦ୍ୱିପାକ୍ଷିକ ଶୃଙ୍ଖଳା ଅନ୍ତର୍ଭୁକ୍ତ। ଆଇସିସି ଓ ଏହାର ନିର୍ଦ୍ଦେଶକ ମଣ୍ଡଳୀ ନିରପେକ୍ଷତା ବଜାୟ ରଖିବା ପାଇଁ ନିଜର ଅଧିକାର ଦେଖାଇବାର ସମୟ ଆସିଛି।
ୟୁଏଇ କିମ୍ବା ଅନ୍ୟ କୌଣସି ଦେଶରେ ଖେଳାଯାଉଥିବା ଟିମ୍ ଇଣ୍ଡିଆର ମ୍ୟାଚ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧ କରିସାରିଛି। କିନ୍ତୁ ଭାରତର ଆଭିମୁଖ୍ୟ ସହିତ ଆଇସିସି ମଧ୍ୟ ସଙ୍କଟ ପରିସ୍ଥିତିରେ ଫସିଯାଇଛି କାରଣ କାର୍ଯ୍ୟସୂଚୀ ବିଳମ୍ବ ହେତୁ ପ୍ରସାରଣକାରୀମାନେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଉପରେ ଚାପ ପକାଉଛନ୍ତି। ବର୍ତ୍ତମାନ ପାଇଁ ହାଇବ୍ରିଡ୍ ମଡେଲ୍ ସର୍ବୋତ୍ତମ ବିକଳ୍ପ ବୋଲି ମନେ ହେଉଥିଲେ ମଧ୍ୟ ପିସିବିର ଆଭିମୁଖ୍ୟ ମଧ୍ୟ ଆଇସିସି ପାଇଁ ଚିନ୍ତାର ବିଷୟ ପାଲଟିଛି।
ହାଇବ୍ରିଡ୍ ମଡେଲକୁ କୌଣସି ଉପାୟରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଗଲେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଚାମ୍ପିୟନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଅନୁପସ୍ଥିତି ଯୋଗୁଁ ଆଇସିସି, ପ୍ରସାରଣକାରୀ ଏବଂ ଏପରିକି ପିସିବିକୁ ମଧ୍ୟ ପ୍ରବଳ କ୍ଷତି ସହିବାକୁ ପଡ଼ିପାରେ।
ଅଧିକ ପଢ଼ନ୍ତୁ: ICCର ହୋଇପାରେ ବଡ଼ କ୍ଷତି