ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ କଣ ନିଷ୍ପତ୍ତି ଶୁଣାଇବ ତାହା ଉପରେ ସଭିଙ୍କ ନଜର ରହିଛି। ଆଇସିସିକୁ ଚାମ୍ପିଅନ୍ସ ଟ୍ରଫିର ୯୦ ଦିନ ପୂର୍ବରୁ ସମସ୍ତ ଦେଶର କ୍ରିକେଟ୍ ବୋର୍ଡକୁ କ୍ରୀଡ଼ାସୂଚୀ ପଠାଇବାର ଥିଲା। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କାରଣରୁ ଆଇସିସି ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି କରି ପାରିନି। ତେବେ ସଦ୍ୟତମ ତଥ୍ୟ ଅନୁଯାୟୀ, କ୍ରୀଡ଼ାସୂଚୀ ଘୋଷଣାରେ ହେଉଥିବା ବିଳମ୍ବ କାରଣରୁ ଚାମ୍ପିଅନ୍ସ ଟ୍ରଫିର ବ୍ରଡକାଷ୍ଟର୍ସଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିପାରେ।
କ୍ରିକବଜ୍ର ଏକ ରିପୋର୍ଟ ଅନୁଯାୟୀ, କ୍ରୀଡ଼ାସୂଚୀ ଜାରି କରାଯିବାର ଅନ୍ତିମ ତାରିଖ ଅତିକ୍ରମ ହୋଇ ସାରିଛି। ଏହି କାରଣରୁ ପ୍ରସାରଣକର୍ତ୍ତା ଡିଜନୀ ଓ ଜିଓକୁ ବିପୁଳ କ୍ଷତି ସହିବାକୁ ପଡ଼ିପାର। କାରଣ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି କରାଯାଇନି। ଏଥିପାଇଁ ପ୍ରସାରଣକର୍ତ୍ତା ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇଦା ଉଠାଇବାରେ ସଂପୂର୍ଣ୍ଣ ଅସମର୍ଥ ହୋଇ ପଡ଼ିଛନ୍ତି। ବ୍ୟବସାୟ ପ୍ରସଙ୍ଗ ଉପରେ ଆଇସିସି କୌଣସି ପ୍ରତିକ୍ରିୟା ବି ଆସିନାହିଁ।
ସଦ୍ୟତମ ରିପୋର୍ଟରେ ଖୁଲାସା ହୋଇଛି ଯେ, ପ୍ରସାରଣକର୍ତ୍ତା ଭାରତ ଓ ପାକିସ୍ତାନକୁ ଅଲଗା ଅଲଗା ଗ୍ରୁପରେ ରଖିବାକୁ ବିରୋଧ କରିଛନ୍ତି। ଯଦି ଗୋଟିଏ ଗ୍ରୁପରେ ଦୁଇ ଦେଶକୁ ରଖାଯାଏ ତେବେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ନିଜ ମାଟିରେ ଖେଳିବ। ଭାରତ ନିଜର ମୁକାବିଲା ଅନ୍ୟ କୌଣସି ଦେଶରେ ଖେଳିବ। ଯଦି ଦୁଇ ଦେଶକୁ ଗୋଟିଏ ଗ୍ରୁପରେ ରଖାଯିବ ତେବେ ଜଣଙ୍କୁ ଅନ୍ୟ ଜଣଙ୍କ ସାମ୍ନାରେ ମୁଣ୍ଡା ନୁଆଇଁବାକ ପଡ଼ିବ।
ନଭେମ୍ବର ୨୯ରେ ଆଇସିସିର ବୋର୍ଡ ବୈଠକ ହେବାକୁ ଯାଉଛି। ଏଥିରେ ହାଇବ୍ରିଡ ମୋଡେଲ୍ ଉପରେ ବହୁତ ବଡ଼ ନିଷ୍ପତ୍ତି ହୋଇପାରେ। କାରଣ ପାକିସ୍ତାନ ଆୟୋଜନ ଅଧିକାର ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ଏବଂ ହାଇବ୍ରିଡ ମୋଡେଲ୍ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପଟେ ଭାରତ ନିଜର ଦଳ ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଯଦି ପିସିବି ହାଇବ୍ରିଡ ମୋଡେଲ୍ ସ୍ଵୀକାର ନ କରେ ତେବେ ଆଇସିସିକୁ ବାଧ୍ୟ ହୋଇ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ପାକିସ୍ତାନଠୁ ଫେରାଇ ନେଇପାରେ। ତେଣୁ ଏହି ସବୁ ଦୃଷ୍ଟିରୁ ଆଇସିସିର ନଭେମ୍ବର ୨୯ ତାରିଖର ମିଟିଂ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି।