ନୂଆଦିଲ୍ଲୀ: ପର୍ଥ ଟେଷ୍ଟ ପରେ ଏବେ ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଜୋରଦାର ଚଳାଇଛି । ଏହି ଟେଷ୍ଟ ମ୍ୟାଚ୍ ପିଙ୍କବଲ୍ ଓ ଦିବାରାତ୍ର ଖେଳାଯିଭ । ଏହି ଟେଷ୍ଟ ପାଇଁ ଭାରତୀୟ ଦଳ ପ୍ରବନ୍ଧକଙ୍କ ସାମ୍ନାରେ ବଡ ଆହ୍ୱାନ ଚୂଡାନ୍ତ ଏକାଦଶକୁ ନେଇ ରହିଛି । କାରଣ ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରି ଆସିଛନ୍ତି । ଅନ୍ୟପଟେ ଶୁଭମନ ଗିଲ୍ ମଧ୍ୟ ସୁସ୍ଥ ହୋଇ ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ଅଧିନାୟକ ହୋଇଥିବାରୁ ରୋହିତ ଶର୍ମାଙ୍କ ଖେଳିବା ନିଶ୍ଚିତ ।
ତେବେ ଯଶସ୍ୱୀ ଜୟସ୍ୱାଲଙ୍କ ସହ କିଏ ଓପନ କରିବ ତାହା ବଡ ପ୍ରଶ୍ନ ? କାରଣ କେଏଲ ରାହୁଲଙ୍କୁ ମିଳିଥିବା ସୁଯୋଗର ସେ ଭଲ ଫାଇଦା ଉଠାଇଛନ୍ତି । ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ଫର୍ମରେ ନାହାନ୍ତି । ତେଣୁ ସେ ଟେଷ୍ଟ ମ୍ୟାଚରେ ଓପନିଂ ପାଇଁ ନିଜର ସ୍ଥାନ ଛାଡି କେଏଲ ରାହୁଲଙ୍କୁ ସୁଯୋଗ ଦେଇ ପାରନ୍ତି । ଯଦି କେଏଲ ରାହୁଲଙ୍କ ଗତ କିଛି ବର୍ଷର ରେକର୍ଡ ଦେଖିବେ ତେବେ ରୋହିତ ଚାହିଁବେ କେଏଲ ରାହୁଲ ଓପନିଂ କରନ୍ତୁ ।
୨୦୧୫ ପରଠୁ କେଏଲ ରାହୁଲ ଏକମାତ୍ର ବ୍ୟାଟର ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ବିଦେଶରେ ଜଣେ ଓପନର ଭାବେ ୬ ଶତକ ହାସଲ କରିଛନ୍ତି । ଦ୍ୱିତୀୟରେ ଉସ୍ମାନ ଖ୍ୱାଜା ରହିଛନ୍ତି, ଯିଏ ଅଷ୍ଟ୍ରେଲିଆ ପକ୍ଷରୁ ବିଦେଶ ମାଟିରେ ଏହି ୧୦ ବର୍ଷରେ ୫ ଶତକ ଲଗାଇଛନ୍ତି । ଏହା ବ୍ୟତୀତ ଏହି ସମୟରେ ପାକିସ୍ତାନର ଅଜହର ଅଲ୍ଲୀ, ୱେଷ୍ଟଇଣ୍ଡିଜର କ୍ରେଗ ବ୍ରେଥୱେଟ୍, ଭାରତର ଶିଖର ଧାୱନ, ଦକ୍ଷିଣ ଆଫ୍ରିକାର ଡିନ ଏଲଗର, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ଓ ନ୍ୟୁଜିଲାଣ୍ଡର ଟମ ଲାଥମ ନିଜ ଦେଶ ପକ୍ଷରୁ ଖେଳି ବିଦେଶ ମାଟିରେ ୪ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି । ତେଣୁ ଏହି କ୍ଷେତ୍ରରେ କେଏଲ ରାହୁଲଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଛି ।
କେଏଲ ରାହୁଲ ଟେଷ୍ଟ କ୍ରିକେଟରେ ମୋଟ୍ ୮ ଶତକ ହାସଲ କରିଛନ୍ତି । ଏଥିରୁ ଦୁଇଟି କେବଳ ଘରୋଇ ମାଟିରେ ହାସଲ କରିଥିବା ବେଳେ ଅବଶିଷ୍ଟ ୬ ବିଦେଶ ମାଟିରେ । ଏହି ରେକର୍ଡ ଦେଖିଲେ ଖୋଦ୍ ରୋହିତ ଶର୍ମା ନିଜ ପଦକୁ ଛାଡି ମଧ୍ୟକ୍ରମରେ ବ୍ୟାଟିଂ କରି ପାରନ୍ତି । ସେ ଟେଷ୍ଟ କ୍ୟାରିୟର ଆରମ୍ଭରେ ମଧ୍ୟ ମଧ୍ୟକ୍ରମରେ ଖେଳିଥିଲେ । କିନ୍ତୁ ଯେବେ ରୋହିତ ଓପନର ଭାବେ ଖେଳିଲେ ତା ପରଠୁ ଭିନ୍ନ ରଙ୍ଗରେ ନଜର ଆସିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ମ୍ୟାନେଜମେଣ୍ଟ କଣ ରୋହିତଙ୍କୁ ୫ କିମ୍ବା ୬ରେ ବ୍ୟାଟିଂ କରିବାକୁ ପଠାଇବ ନା କେଏଲ ରାହୁଲଙ୍କୁ ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଛାଡିବ ।