ପୁରୀ: ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆୟୁର୍ବେଦ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, 1949 ମସିହା ଆୟୁର୍ବେଦ ବିଦ୍ୟାପୀଠଭାବେ ଗଢ଼ିଉଠିଥିବା ଏହି ଅନୁଷ୍ଠାନ ଦେଶର ଏକ ଆଦର୍ଶ ଅନୁଷ୍ଠାନଭାବେ ସୁନାମ ଅର୍ଜନ କରିଛି । ଆୟୁର୍ବେଦ ପୁରାତନ ଏବଂ ସମୃଦ୍ଧ ଚିକିତ୍ସା ବିଜ୍ଞାନ ଅଟେ । ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଆୟୁର୍ବେଦକୁ ଜାଣିବାକୁ ବେଶୀ ଦୂର ଯିବାକୁ ପଡ଼ିବ ନାହିଁ । ମହାପ୍ରଭୁଙ୍କ ନୀତିକୀନ୍ତିଙ୍କୁ ଅନୁଧ୍ୟାନ କଲେ ଆୟୁର୍ବେଦ ସମ୍ପର୍କରେ ଜାଣିପାରିବା । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ, ସେତେବେଳେ ଆୟୁର୍ବେଦ ଦ୍ୱାରା ତାଙ୍କର ଚିକିସ୍ଚା କରାଯାଇଥାଏ । ସେହିପରି ରାମାୟଣରେ ମଧ୍ୟ ଆୟୁର୍ବେଦ ବିଷୟରେ ଜଣାପଡ଼ିଥାଏ । ରଣାଙ୍ଗନାରେ ଲଷ୍ମଣ ମୂର୍ଚ୍ଛତ ଥିବାବେଳେ ବିଶଲ୍ୟକରଣୀ ତାଙ୍କୁ ସୁସ୍ଥ କରାଇପାରିଥିଲା ।
ଆୟୁର୍ବେଦ ଏକ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ । ଆୟୁର୍ବେଦ ପ୍ରକୃତି ଓ ଶରୀର ସହିତ ସମନ୍ୱୟ ରକ୍ଷା କରି ଜୀବନରୁ ମାନକୁ ବୃଦ୍ଧି କରିଥିବାରୁ ଏହାକୁ ସମଗ୍ର ବିଶ୍ୱ ଚିକିତ୍ସା ପଦ୍ଧତିଭାବେ ଗ୍ରହଣ କରିଛି । 2014 ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ବିଭାଗକୁ ଅବହେଳା କରାଯାଉଥିଲା । ମାତ୍ର ଆୟୁର୍ବେଦକୁ ଲୋକାଭିମୁଖୀ କରିବାକୁ ଧନନ୍ତ୍ୱରୀ ଜୟନ୍ତୀରେ ବିଶ୍ୱ ଆୟୁର୍ବେଦ ଦିବସଭାବେ ପାଳନ କରିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପାରମ୍ପାରିକ ଚିକିତ୍ସା, ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାରେ ଲୋକପ୍ରିୟତା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ୟମ ଜାରି କରିଛନ୍ତି । ଆୟୁଷ ମନ୍ତ୍ରଣାଳୟ ଅନୁସନ୍ଧାନ ସଂସ୍ଥା ଦ୍ୱାରା କର୍କଟ, ହୃଦ ରୋଗ ଓ ମଧୁମେହ ରୋଗର ନିୟନ୍ତ୍ରଣ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି ।
ଓଡ଼ିଶାରେ 3ଟି ସରକାରୀ ଓ ଗୋଟିଏ ବେସରକାରୀ ଆୟୁର୍ବେଦ କଲେଜ କାର୍ଯ୍ୟକରୁଛି । ଆମ ରାଜ୍ୟରେ ଆୟୁର୍ବେଦ ଚିକିତ୍ସା ସେବା ପାଇଁ 520ଟି ଆୟୁର୍ବେଦ ଚିକିତ୍ସାଳୟ ଏବଂ 5ଟି ମେଡ଼ିକାଲରେ ସେବା ଯୋଗାଇ ଦିଆଯାଉଛି । କୋଭିଡ୍ ମହାମାରୀ ସମୟରେ ଆୟୁଷ ଡାକ୍ତରମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଆୟୁର୍ବେଦ ବିଜ୍ଞାନ ସହିତ ସମ୍ପୃକ୍ତଥିବା ଗଣ୍ୟମାନ୍ୟ ବ୍ୟକ୍ତି ଆୟୁର୍ବେଦକୁ ଆଗେଇ ନେବା ଦିଗରେ କାର୍ଯ୍ୟକରିବେ । ଆୟୁର୍ବେଦ ଓ ଏଲୋପାତି ଚିକିତ୍ସାକୁ ନେଇ ବିତର୍କ ହେଉଛି, କିନ୍ତୁ ଦୁଇଟି ଚିକିତ୍ସା ପରସ୍ପରର ପରିପୂରକ ।
ଆୟୁର୍ବେଦ, ଯୋଗ, ଆଧ୍ୟାତ୍ମିକତାର ସଦୁପୋଯୋଗକରି ଏକ ସୁସ୍ଥ ନିରାମୟ ଜୀବନଶୈଳୀ କିପରି ଭାବେ ପାଇପାରିବେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟା ମହାମହିମ ରାଷ୍ଟ୍ରପତି ମହୋଦୟା। ତାଙ୍କ ଜୀବନର ସଂଗ୍ରାମ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା।
କିନ୍ତୁ ଦୁଃଖର କଥା ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ରକମର ଅବହେଳିତ କରାଯାଉଥିଲା। ଧର୍ମକୁ ଆଖିଠାର ପରି ସ୍ୱାସ୍ଥ୍ୟ ବିଭାଗରେ କିଛି ଖର୍ଚ୍ଚ ପ୍ରବଧାନ କରି ଦୟିତ୍ଵ ସମ୍ପାଦନ କରିଦେଉଥିଲେ,। କିନ୍ତୁ ୯ ନଭେମ୍ବର ୨୦୧୪ ଦିନ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ସ୍ଵତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଓ ଦଶା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆୟୁର୍ବେଦ ଡାକ୍ତରଙ୍କୁ ଅନେକ ନୂଆ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି।
ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ବା ଧନ୍ ତେରସ ଦିନଟିକୁ 'ବିଶ୍ୱ ଆୟୁର୍ବେଦ ଦିବସ' ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜଟଣୀ ଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ 'ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ' ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ -- ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଛି।
ଆୟୁଷ ମନ୍ତ୍ରାଳୟ ଏହାର ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ଆୟୁର୍ବେଦ ମାଧ୍ୟମରେ କର୍କଟ, ମଧୁମେହ ଓ ହୃଦ୍ରୋଗ ଇତ୍ୟାଦି ରୋଗର ନିୟନ୍ତ୍ରଣ ନିମିତ୍ତ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହାଦ୍ୱାରା ଏହି ସବୁ ଜଟିଳ ରୋଗ ଗୁଡ଼ିକର ସହଜ ସମାଧାନର ସୂତ୍ର ମିଳିପାରିବ।