ଚଳିତ ବର୍ଷ ଉତ୍କଳ ଦିବସ ରାଜ୍ୟ, ଜିଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଉତ୍କଳ ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ ସାମଲ, ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, କ୍ଷେତ୍ର ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ତିନୋଟି ଆରଡିସି ଜୋନର ଉପନିର୍ଦ୍ଦେଶକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧି ମୁତାବକ ଉତ୍କଳ ଦିବସ ପାଳନର ରୂପରେଖ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରମୁଖ ଶାସନ ସଚିବ ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଓ ଉପଖଣ୍ଡସ୍ତରରେ ଉତ୍କଳ ଦିବସକୁ ସଠିକ୍ ମର୍ଯ୍ୟାଦାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉତ୍କଳ ଦିବସ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ରେକର୍ଡ ମାଧ୍ୟମରେ କେବଳ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇ ପ୍ରାତଃ ସମୟରେ ପ୍ରଭାତ ଫେରି ଅନୁଷ୍ଠିତ ହେବ । ଜିଲ୍ଲା ଓ ଉପଖଣ୍ଡର ପ୍ରମୁଖ ସରକାରୀ କୋଠାବାଡ଼ିଗୁଡ଼ିକର ଆଲୋକସଜ୍ଜା କରାଯିବା ଏବଂ କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ କିମ୍ୱା କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଏବଂ ଦଳୀୟ ଲୋଗୋ ଆଦିର ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ । ଏହି ଅବସରରେ କୌଣସି ଶୋଭାଯାତ୍ରା, ରାଜନୈତିକ ଭାଷଣ ଏବଂ ପ୍ରଚାର ସହ କୌଣସି ପ୍ରକାର ମାନପତ୍ର ଏବଂ ଫଳକ ଆଦି ପ୍ରଦାନ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଅଧିକ ପଢ଼ନ୍ତୁ : ଶ୍ରୀ ଜଗନ୍ନାଥଙ୍କର ୩୨ ବେଶ ଉତ୍ସବ ଅନୁଷ୍ଠିତ