ମଦ୍ୟପ ବାପାର ଉନ୍ମତ କାଣ୍ଡ । ମଦ୍ୟପାନ କରି ଭୁଲିଲା ହିତାହିତ ଜ୍ଞାନ ଆଉ ନିଜ ପୁଅକୁ ଛୁରି ଭୁସି କଲା ହତ୍ୟା । ଏହି ସମୟରେ ଦାଦା ଛଡ଼େଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଛୁରି ମାଡ଼ କରିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ତଥା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଧଣ୍ଡରା ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ନାମ ଦେବ ନାୟକ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ନାମ ଅଭିମନ୍ୟୁ ନାୟକ ବୋଲି ଜଣା ପଡିଛି ।
ପୋଲିସର ସୂଚନା ମୁତାବକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଣ୍ଡରା ଗ୍ରାମର ଜଗେଶ୍ୱର ନାୟକ ଶନିବାର ରାତି ୮ଟାରେ ମଦ୍ୟପାନ କରି ନିଜ ଘର ସମ୍ମୁଖରେ ପାଟିତୁଣ୍ଡ କରୁଥିଲେ । ଏହି ସମୟରେ ତାଙ୍କ ବଡ଼ ପୁଅ ଦେବ ବାହାରେ କାହିଁକି ପାଟିତୁଣ୍ଡ କରୁଛୁ ବୋଲି ଆକଟ କରିଥିଲେ । ଏହାକୁ ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଗେଶ୍ୱର ନିଜ ପୁଅ ଦେବ ନାୟକଙ୍କ ଛାତିରେ ଛୁରି ଭୁସି ଦେଇଥିଲେ । ଏହି ସମୟରେ ଦାଦା ଅଭିମନ୍ୟୁ ନାୟକ ଛଡ଼େଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଜଙ୍ଘରେ ଛୁରି ମାଡ଼ କରିଥିଲେ ଜଗେଶ୍ୱର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଦାଦା ପୁତୁରା ତଳେ ପଡ଼ି ଛଟପଟ ହୋଇଥିଲେ । ଏହାପରେ ଉଭୟ ଦାଦା ପୁତୁରାଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିମନ୍ୟୁଙ୍କ ଚିକିତ୍ସା ଚାଲିଛି। ଏନେଇ ଜଗେଶ୍ୱରଙ୍କ ସାନ ପୁଅ ପାର୍ଥ ନାୟକ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ହତ୍ୟାରେ ବ୍ୟବହୃତ ଛୁରି ଜବତ କରିବା ସହିତ ଜଗେଶ୍ୱର ନାୟକଙ୍କୁ ଥାନାକୁ ଆଣି ପୋଲିସ ପଚାର ଉଚୁରା କରୁଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ :ଲିଭୁଛି ଯେତିକି ଜଳୁଛି ସେତିକି..ଶିମିଳିପାଳ