ଚା , କଫି ଠାରୁ ଆରମ୍ଭ କରି ଲସି ପର୍ଯ୍ୟନ୍ତ ସବୁକିଛି ମାଣ୍ଡିଆରେ ତିଆରି ହେଉଛି । ସେହିପରି ବିଭିନ୍ନ ପ୍ରକାର ଜଳଖିଆ ଠାରୁ ଆରମ୍ଭ କରି ଆରିସା କାକରା ମଧ୍ୟ ତିଆରି କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା । ବରଗଡ଼ ସହରର ମଧ୍ୟସ୍ଥଳୀ ଗାନ୍ଧୀ ଛକରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା କଡରେ ରହିଛି ଏହି ମିଲେଟ ଶକ୍ତି କେଫେ । ଲୋକଙ୍କୁ ଆକୃଷ୍ଟ କରୁଛି ଏହି ମିଲେଟ ଶକ୍ତି କେଫେ ।
ବରଗଡ଼ ଖଜୁରଟିକ୍ରା ସ୍ଥିତ ସିଦ୍ଧିଦାତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମିଲେଟ ଶକ୍ତି କେଫେ । ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ ମିଲେଟରେ ପ୍ରସ୍ତୁତ ହେଉଛି ସୁସ୍ୱାଦୁ ଖାଦ୍ୟ । ସକାଳ ବେଳା ଏଠାରେ କୁଦୋ ତିଆରି ଉପମାର ବେଶ ଚାହିଦା ରହିଛି । ସେହିପରି ମାଣ୍ଡିଆରେ କାକରା, ଆରିଷା , ମଡା ପରି ପାରମ୍ପରିକ ପିଠାର ମଧ୍ୟ ଚାହିଦା ରହିଥିବା ବେଳେ ଖୁବ ଅଳ୍ପ ଦିନ ମଧ୍ୟରେ ଏହି ମିଲେଟ କେଫେ ଏକ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି ।
ବରଗଡ଼ ଖଜୁରଟିକ୍ରା ସ୍ଥିତ ସିଦ୍ଧିଦାତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୨୦୧୭ ରୁ ଗଠିତ ହୋଇଥିବା ବେଳେ ଏଥିରେ ୧୦ ଜଣ ସଦସ୍ୟା ରହିଛନ୍ତି । ପୂର୍ବରୁ ସିଦ୍ଧିଦାତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ସଭାସମିତିରେ ଅର୍ଡର ଅନୁସାରେ ମିଳେଟରେ ଜଳଖିଆ ତିଆରି କରିଆସୁଥିଲେ । ବର୍ତ୍ତମାନ ଏହି କେଫେରେ ଜଳଖିଆର ଚାହିଦା ଅଧିକ ରହିଛି ।
ଦିନକୁ ଦିନ ମିଲେଟ ଖାଦ୍ୟର ବୃଦ୍ଧି ପାଇବା ସହ ଏହି ମିଲେଟ ଶକ୍ତି କେଫେରେ ମଧ୍ୟ ଭିଡ ବଢ଼ିବାକୁ ଲାଗିଛି ଏବଂ ଅର୍ଡର ଅନୁଯାୟୀ ଖାଦ୍ୟର ଚାହିଦା ମଧ୍ୟ ବଢ଼ୁଛି । ମାଣ୍ଡିଆ, ଗୁରଜି, କୁଦୋ ରୁ ବହୁ ପ୍ରକାର ଜଳଖିଆ ପ୍ରସ୍ତୁତ ହେବା ସହ ସହରବାସୀ ତାକୁ ହାତପାହାନ୍ତ ରେ ପାଇ ପାରୁଛନ୍ତି ଏହି ମିଲେଟ ଶକ୍ତ କେଫେ ଯୋଗୁଁ । ତେବେ ଖୁବଶୀଘ୍ର କୁଦୋ ଚାଉଲରେ ବିରିଆନି ତିଆରି କରାଯାଇ ବିକ୍ରୀ କରାଯିବ ବୋଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ :ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ "ସୀତାବିବାହ"