କେନ୍ଦ୍ରାପଡ଼ା: ସନ୍ଦିଗ୍ଧ ୧୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି କେନ୍ଦ୍ରାପଡ଼ା ପୋଲିସ। ସମସ୍ତ ସନ୍ଦିଗ୍ଧ ନିଜର ଠିକଣା ଠିକ ଭାବେ କହି ପାରୁନଥିବା ବେଳେ ଆଧାର କାର୍ଡ ଜାଲ ବୋଲି ସନ୍ଦେହ ହେବାରୁ ଅଧିକ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ପଠାଇଛି ମେରାଇନ ପୋଲିସ।
ଗୁରୁବାର ବିଳମ୍ବିତ ରାତିରେ ମହାକାଳପଡ଼ା ବ୍ଲକ୍ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ବଜାରରେ ହଠାତ୍ ପହଞ୍ଚିଥିଲେ ୧୪ ଜଣ ସନ୍ଦିଗ୍ଧ। ଏହି ସନ୍ଦିଗ୍ଧ ମାନଙ୍କୁ ଦେଖି ଉପକୂଳ ଅଞ୍ଚଳର କିଛି ବୁଦ୍ଧିଜୀବୀ ସେମାନଙ୍କୁ ଅଟକାଇ ପୋଲିସକୁ ଫୋନ କରିଥିଲେ। ଖବରପାଇ ଘଟଣା ସ୍ଥଳରେ ତୁରନ୍ତ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ସେମାନଙ୍କ ପରିଚୟପତ୍ର କହିଲେ ସେମାନଙ୍କ ପାଖରେ ଆଧାରକାର୍ଡ ଗୁଡାଏ ଅଛି। ଯେଉଁଗୁଡ଼ିକ ଅରିଜିନାଲ ନୁହଁ, ଡୁପ୍ଲିକେଟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି
ସନ୍ଦିଗ୍ଧ ମାନଙ୍କ ବେଶ ପରିପାଟିରୁ ଜଣା ପଡୁଛି ଅଧିକାଂଶ ହେଉଛନ୍ତି ସଂଖ୍ୟା ଲଘୁ ସମ୍ପ୍ରଦାୟର। ତେବେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ଵାଳ ଆସିଥିବା ସମସ୍ତ ସନ୍ଦିଗ୍ଧ ମାନଙ୍କୁ ଅଟକ ରଖି ପୁଙ୍ଖାନୁପଙ୍ଖ ଭାବେ ଯାଞ୍ଚ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ସେମାନେ ବିହାର ରାଜ୍ୟରୁ ଆସିଛନ୍ତି I
ତଦନ୍ତ ପରେ ଯଦି ସେମାନେ ବାଂଲାଦେଶୀ ହୋଇଥିବେ ତେବେ ରିପୋର୍ଟ କରାଯିବ ବୋଲି ଜମ୍ବୁ ମେରାଇନ ଥାନା ଅଧିକାରୀ କହିଛନ୍ତି।