ପୁରୀ: ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ । ଏହି ପର୍ବରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। । ତେଣୁ ସୁନିଆଁକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୧୪୩୩ସାଲ ଓ ୬୯ ଅଙ୍କର ପ୍ରବେଶ ଆରମ୍ଭ ହେବ । ଏହି ପର୍ବ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।
ସୁନିଆଁ ପର୍ବ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।