ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହି ନୀତି ଶ୍ରୀମନ୍ଦିରରେ ପାଳନ କରାଯାଏ ।
ଆଜି ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ, ସୁନିଆଁ, ଓ ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ ନୀତି ମଧ୍ୟ ଅନୁଷ୍ଠିତ ହେବ । ଗତ ଦିନ ଅଧିବାସ ହୋଇଥିବା ପବିତ୍ର ଚାଙ୍ଗୁଡିକୁ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଓ ତିନିଜଣ ପାଳିଆ ପୁଷ୍ପାଳକଙ୍କ ଦ୍ବାରା ବିଧି ଅନୁସାରେ ପଟୁଆରରେ ଜୟ ବିଜୟ ଦ୍ବାର ଦେଇ ରତ୍ନ ସିଂହାସନକୁ ବିଜେ କରାଯାଏ। କର୍ପୁର ଲାଗି ପରେ ବେଶ ବଢ଼ିଥାଏ। ମୁଦିରସ୍ତଙ୍କ ଦ୍ବାରା ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି ପରେ, କୃଷ୍ଣଙ୍କୁ ମଣ୍ଡଳ ଉପରେ ବିଜେ କରାଯାଏ। ଏଠାରେ ବଣିଆ ନିର୍ମାଣ କରିଥିବା ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମା ବିଜେ କରାଯାଏ। ପରେ, ମହାଜନ ସେବକଙ୍କ ଦ୍ବାରା ଠାକୁରଙ୍କୁ ବିଜେ କରାଇ, ଜୟ ବିଜୟ ଦ୍ବାର ତଳେ ଠିଆ ହେଉଥାନ୍ତି। ଏଠାରେ, ମାର୍କଣ୍ଡେଶ୍ବର ସାହିର ଲୋକମାନେ ଗୋଟିଏ ବାମନ ମୂର୍ତ୍ତି ପତି ପ୍ରଦାନ କରନ୍ତି। ଶ୍ରୀମନ୍ଦିରରେ ଶୟନ କରିଥିବା ଗରୁଡ଼ଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ ।
ସେହିପରି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ । ଏହି ପର୍ବରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି।