ପୁରୀ: ଆସନ୍ତାକାଲି ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିଲାଗି ସନ୍ଧ୍ୟା ଦୀର୍ଘ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆସନ୍ତାକାଲି ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିବେ । ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା କରାଯିବ । ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ୟ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଇବେ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ମଣ୍ଡଳ ଉପରେ ବିଜେ କରାଇବେ । ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯାଇଥାଏ । ଏକ ଖଣ୍ଡୁଆପାଟ ଘୋଡ଼ାଇ ଜନ୍ମ ଉତ୍ସବ ନୀତି ସମ୍ପନ୍ନ କରାଯାଏ । ଏଥିରେ କୋରା, କ୍ଷୀର ଓ ଲହୁଣି ମଣୋହି ଏବଂ ମୁଦିରସ୍ତ ପ୍ରସାଦ ଲାଗି କରାଯାଇଥାଏ । । ବାମନକୁ ଦଧି ଭିକ୍ଷା କରାଇବାକୁ ଦୁର୍ଗାଙ୍କୁ ଭଣ୍ଡାର ଘରରୁ ରତ୍ନସିଂହାସନକୁ ବିଜେ କରାଯାଇଥାଏ । ଏହା ପରେ ପୂଜାପଣ୍ଡା ବସୁଧାରା ଏବଂ ଯଜ୍ଞ ଆଦି କରାଇଥାଆନ୍ତି । ବନ୍ଦାପନା ଓ ପ୍ରସାଦ ଲାଗି ସରିବା ପରେ କୃଷ୍ଣ ଦକ୍ଷିଣ ଘରକୁ ଏବଂ ଦୁର୍ଗା ଭଣ୍ଡାର ଘରକୁ ବିଜେ କରନ୍ତି ।