ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପ ଧାଡ଼ି ଦର୍ଶନ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି । ଏହା ସହିତ ପରିଚାଳନା କମିଟି ଅଧିନରେ ମୋଟ ୧୪ଟି ସବକମିଟି ଗଠନ କରାଯାଇଛି । ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ନିଳାଦ୍ରୀ ଭକ୍ତ ନିବାସଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ସୁରୁଖରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରର ନୀତିକାନ୍ତିଠାରୁ ଆରମ୍ଭ କରି ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ ନାଟମଣ୍ଡପରେ ଧାଡ଼ି ଦର୍ଶନ ପ୍ରସ୍ତାବକୁ କମିଟି ଅନୁମତି ଦେଇଛି । ଯଦ୍ୱାରା ପରୀକ୍ଷାମୂଳକଭାବେ ଧାଡ଼ି ଦର୍ଶନ କରାଯିବ । ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୯ ଜଣିଆ କମିଟି ଗଠନ କରାଯିବ । ଏଥିରେ ନାଟମଣ୍ଡପର ଡାକ୍ତର ସିଦ୍ଧେଶ୍ୱର ମହାପାତ୍ର ଏବଂ ଅନ୍ୟ ସେବାୟତବୃନ୍ଦଙ୍କୁ ସାମିଲ କରାଯିବ । ଏହି କମିଟି ଏକ ଏସଓପି ପ୍ରସ୍ତୁତ କରି ପରିଚାଳନା କମିଟିକୁ ପ୍ରଦାନ କରିବେ । ଏହା ପରେ ବିଭିନ୍ନ ଆଡ଼ୁ ତର୍ଜମା କରି ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କରାଯିବ । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ବାଧା ନଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ଵାଧୀନ କମିଟି ସଂଶୋଧନ କରିବ । ତେବେ କେବେ ଧାଡ଼ି ଦର୍ଶନ କରାଯିବ , ସେଥିପାଇଁ କୌଣସି ଦିନ ସ୍ଥିର ହୋଇ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେହିପରି ଆଜିର ବୈଠକରେ ୧୪ଟି ସବକମିଟି ଗଠନ କରାଯାଇଛି । ସେଥିମଧ୍ୟରୁ ୪ଟି ଷ୍ଟାଚ୍ୟୁଟାରୀ ସବକମିଟି ଗଠନ ହୋଇଛି । ଯେଉଁଥିରେ ଅର୍ଥ, ନୀତି, ରତ୍ନ ଭଣ୍ଡାର ଓ ଅପିଲ୍ ସବକମିଟି ରହିଛି । ସେହିପରି ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ସବକମିଟି ଗଠନ କରାଯାଇଛି । ଡାକ୍ତର ଗିରିଶ ଚନ୍ଦ୍ର ମୁର୍ମୁ କମିଟିର ଅଧ୍ୟକ୍ଷ ରହିବେ । ଏହା ସହିତ ଜିଲ୍ଲାପାଳ, ଏସପି ଏବଂ ଅନ୍ୟମାନଙ୍କୁ ସାମିଲ କରାଯିବ ।
ସେହିପରି ସେବକ କଲ୍ୟାଣ ପାଇଁ ସବକମିଟି ଗଠନ ହୋଇଥିବାବେଳେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ । ଏହା ସହିତ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା, ପ୍ରକାଶନ ଓ ପ୍ରସାର ସବକମିଟି ଗଠନ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଧି ସବକମିଟି ଏବଂ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସମନ୍ୱୟ ସବକମିଟି ଗଠନ ହୋଇଛି ।
ଭୂମି ସବକମିଟି ବା ଲ୍ୟାଣ୍ଡ ସବକମିଟି ଗଠନ ହୋଇଛି । ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ,ଜିଲ୍ଲାପାଳ, ଦେବୋତ୍ତର କମିସନର ସଦସ୍ୟ ରହିବେ । ପ୍ରକଳ୍ପ ସାଂସ୍କୃତିକ ସବକମିଟି ଗଠିତ ହୋଇଥିବାବେଳେ ଗଜପତି ମହାରାଜା ଅଧ୍ୟକ୍ଷ ରହିବେ ଏବଂ ମନୋନୀତ ସଦସ୍ୟ ରହିବେ। ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ଟ୍ରଷ୍ଟ ବୋର୍ଡ ସବକମିଟି ଗଠନ। ଜିଲ୍ଲାପାଳ ଅଧକ୍ଷ ରହିବେ। ସଂସ୍ଥା ସବକମିଟି ଗଠନ। ଜିଲ୍ଲାପାଳ ଅଧକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ସଭ୍ୟ ରହିବେ।
ପରିଚାଳନା କମିଟିରେ ଦିବ୍ୟାଙ୍ଗ ଏବଂ ବୟସ୍କମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ୍ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି । ଏହା ସହିତ ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା କରାଯାଇଛି । ଆସନ୍ତା ୬ ତାରିଖରେ ଗଜପତି ମହାରାଜ ସାମ୍ବାଦିକ ସମ୍ମିଳନୀରେ କଣ ନିଷ୍ପତ୍ତି ହୋଇଛି ସୂଚନା ଦେବେ । ସଂସଦ ପରିସରରେ ରଥ ଚକ ସ୍ଥାପନା, ମାତୃ ଶିଶୁ ସ୍ତନ୍ୟପାନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି ।