ଭୁବନେଶ୍ୱର: ରାଜ୍ୟ ପୁଲିସର ତିନି ଅଧିକାରୀଙ୍କୁ ମିଳିଛି ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ । ୨୦୨୪ ବର୍ଷରେ ଅପରାଧିକ ତଦନ୍ତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କୃତ ହୋଇଥିବା ୩ ଅଧିକାରୀ ହେଲେ ଗଜପତିର ଇନସ୍ପେକ୍ଟର ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଇନସ୍ପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନଗିରିର ଇନସ୍ପେକ୍ଟର ରିଗାନ କିଣ୍ଡୋ । ଏ ନେଇ ପୁଲିସ ମହାନିର୍ଦ୍ଦେଶକ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସୈନିକ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ୪୬୩ କର୍ମଚାରୀଙ୍କୁ ୨୦୨୪ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକରେ ସମ୍ମାନିତ କରାଯିବ । ସ୍ୱତନ୍ତ୍ର ଅଭିଯାନ, ଅନୁସନ୍ଧାନ, ଇଣ୍ଟେଲିଜେନ୍ସ ଓ ଫରେନସିକ ସାଇନ୍ସର ଚାରୋଟି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟକୁ ମାନ୍ୟତା ଦେବା ଓ ଉଚ୍ଚ ବୃତ୍ତିଗତ ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ଓ କର୍ମଚାରୀ ଓ ମନୋବଳ ବୃଦ୍ଧି କରିବା ପାଇଁ ପ୍ରଦାନ କରାଯିବ ।
ଚଳିତ ବର୍ଷ ଫେବୃଆରୀ ମାସରେ ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଥିଲା । ପ୍ରତିବର୍ଷ ଅକ୍ଟୋବର ୩୧ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ମେଡାଲ ଘୋଷଣା କରାଯିବ ।