ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କିନ୍ତୁ ବିଭିନ୍ନ ନଦୀରେ ଜଳ ସ୍ତର ସ୍ଥିର ରହିଛି । ରାଜ୍ୟରେ ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟକୁ ବନ୍ୟା ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁଁ କେବଳ ଗୋଟିଏ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ଥିବାବେଳେ ଅନ୍ୟ ନଦୀମାନେଙ୍କର ଜଳ ସ୍ଥର ସ୍ଥିର ରହିଛି । କେବଳ ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗରରେ ବଂଶଧାରା ଜଳସ୍ତର ୫୫.୨୪ ମିଟରରେ ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବାରୁ ପ୍ରଶାସନ ସଜାଗ ରହିଛି ।
ସେପଟେ ହୀରାକୁଦ ଜଳଭଣ୍ଡାରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ମହାନଦୀରେ ବନ୍ୟାସ୍ଥିତି ନାହିଁ । ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢ଼ିବ ହେଲେ ବନ୍ୟା ଆସିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ । ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ୯ଟି ଗେଟ୍ ଖୋଲା ରହିଛି । ରେଙ୍ଗାଲି, ଇନ୍ଦାବତୀ, କୋଲାବ୍ ଜଳଭଣ୍ଡାରରେ ଜଳସ୍ତର ସ୍ଥିର ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗଭୀର ଅବପାତ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଆନ୍ଧ୍ର ମୁହାଁ ହୋଇଛି । ଏହି ଗଭୀର ଅବପାତ ଧିରେ ଧିରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । କେବଳ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।