ଅନୁଗୁଳ: ପୁଣି ମହାବଳ ବାଘ ଆତଙ୍କ । ଦେବଗଡ଼ ପରେ ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓ ପାଟକୁମୁଣ୍ତା ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ମହାବଳ ବାଘ ଗଉଡୁଣୀ ନାଳ ପାରି ହୋଇ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ପାଦ ଚିହ୍ନରୁ ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ, ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନର ଫୋଟୋ ଉଠିବା ସହିତ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିଛି । ମହାବଳ ବାଘର ସ୍ଥିତିକୁ ଅନୁଧ୍ୟାନ କରିବାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇଛି । ମହାବଳ ବାଘକୁ ଦେଖିଲେ ବା ତାହାର ଖବର ପାଇଲେ ତୁରନ୍ତ ବନ ବିଭାଗକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି।