ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ତେବେ ଏହା ପରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା। ୧୨ ତାରିଖରୁ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚନା ମିଳିଥିବା ବେଳେ ରାତି ତାପମାତ୍ରା ମଧ୍ୟ ଦୁଇରୁ ତିନି ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ଆସନ୍ତା ୧୨ରୁ ୧୩ ତାରିଖ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ ବୋଲି ସୂଚନା ଦେଇଥିବା ବେଳେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ ଆସନ୍ତା ୧୨ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି।
ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ମାଲକାନଗିରିରେ ୩୭.୧ ଡିଗ୍ରୀ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ତାପମାତ୍ରା ରହିଥିଲା। ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀରୁ ୩୭ ଡିଗ୍ରୀ ମଧ୍ୟରେ, ୫ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ, ୧୦ଟି ସ୍ଥାନରେ ୩୪ରୁ ୩୫ ଡିଗ୍ରୀ ମଧ୍ୟରେ, ୧୦ ସ୍ଥାନରେ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ଏବଂ ୭ଟି ସ୍ଥାନରେ ତାପମାତ୍ରା ୩୨ରୁ ୩୩ ଡିଗ୍ରର ସେଲସିୟସ୍ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୩୧ ଡିଗ୍ରୀ ତାପମାତ୍ରା ରହିଥିଲା।
ଅପରପକ୍ଷରେ ସୋମବାର ଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳିଗୁଳି ଅନୁଭୂତ ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ୍, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହା ପ୍ରଭାବରେ ୧୧,୧୨ ଓ ୧୩ ତାରିଖରେ ତାପମାତ୍ରା ବୃଦ୍ଧି ପାଇ ପ୍ରବଳ ଖରା ଅନୁଭୂତ ହେବ। ବିଶେଷକରି, ଭୁବନେଶ୍ବର, କଟକ, ଝାରସୁଗୁଡା,ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ, ପାରଳାଖେମୁଣ୍ତି, ମାଲକାନଗିରି, ଭବାନୀପାଟଣା, ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି।
ଅଧିକ ପଢନ୍ତୁ: ୧୦ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ପୋଲିସ