ମୟୂରଭଞ୍ଜ ଜିଲ୍ଲାର ଜଶିପୁର ପୋଲିସ ସୀମା ଅନ୍ତର୍ଗତ ଶିମିଳିପାଳ ରିଜର୍ଭ ଜଙ୍ଗଲ ଭିତରେ ଅଫିମ ବେଆଇନ ଭାବେ ଚାଷ କରାଯାଉଥିବା ଖବର ପାଇ କରଞ୍ଜିଆ ଏସଡିପିଓ ଏବଂ ଜଶିପୁର ପୋଲିସ ଷ୍ଟେସନ ଆଇଆଇସି ଙ୍କ ମିଳିତ ଟିମ ରବିବାର ଚଢ଼ାଉ କରି ବେଆଇନ ଅଫିମ ଚାଷକୁ ନଷ୍ଟ କରିଛନ୍ତି । ଶିମିଳିପାଳ ଟାଇଗର ରିଜର୍ଭ ଭିତରେ ଥିବା ବାକୁଆ ଏବଂ କୁକୁର୍ବୁକା ଗ୍ରାମ ନିକଟରେ ବେଆଇନ ଅଫିମ ଚାଷ କରାଯାଉଥିଲା । କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ବନ ବିଭାଗ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ ଏବଂ ରାଜସ୍ୱ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ପ୍ରାୟ ୫,୨୫,୦୦୦ ଅଫିମ ଗଛ ନଷ୍ଟ କରା ଯାଇଥିଲା । ନଷ୍ଟ ହୋଇଥିବା ଅଫିମ ଗଛର ମୂଲ୍ୟ ପ୍ରାୟ ୧୦.୬୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଏହି ସଂପର୍କରେ ଜଶିପୁର ପୋଲିସ ଷ୍ଟେସନରେ ଧାରା ୧୮ NDPS ଆକ୍ଟ ଏବଂ ୧୮ NDPS ଅଧିନିୟମ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ୨୪ ରେ, ଶିମିଳିପାଳ ଟାଇଗର ରିଜର୍ଭ ଭିତରେ ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର ୧୩,୦୦୦ ଅଫିମ ଗଛ ନଷ୍ଟ କରାଯାଇଥିଲା । ମୟୂରଭଞ୍ଜ ପୋଲିସର ସୂଚନାନୁସାରେ, ଅଫିମ ଚାଷକୁ ଚିହ୍ନଟ ଏବଂ ନଷ୍ଟ କରିବା ପାଇଁ ଅଧିକ ତଦନ୍ତ କାର୍ଯ୍ୟ ଜାରି ରହିବ ।