ମାର୍ଚ୍ଚ ଆରମ୍ଭରୁ ଖରାରେ ଜଳୁଛି ସାରା ଓଡିଶା । ତେବେ ଆଗାମୀ ୩ ମାସ ଆହୁରି ପ୍ରଚଣ୍ଡ ଖରା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ତାତି ବଢିବା ସହ ଏପ୍ରିଲ ମାସରେ ଭୀଷଣ ଖରା ହେବ । ତେବେ ଦିନ ତାପମାତ୍ରା ବଢିବା ସହ ଆଜିଠୁ ରାତି ତାପମାତ୍ରା ମଧ୍ୟ ବଢିବ । ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଯାଏଁ ବଢ଼ିପାରେ । ତେବେ ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ତାପମାତ୍ରା ୩୮.୯ ଡିଗ୍ରୀ, ଭୁବନେଶ୍ୱରରେ ୩୯.୪ ଡିଗ୍ରୀ, କଟକରେ ୩୯.୪ ଡିଗ୍ରୀ, ସମ୍ୱଲପୁରରେ ୩୮.୮ ଡିଗ୍ରୀ, ବାଲେଶ୍ୱରେ ୩୮.୫ ଡିଗ୍ରୀ, କେନ୍ଦୁଝରରେ ୩୮.୦ ଡିଗ୍ରୀ, ପୁରୀରେ ୩୩.୫ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ ଓ ଗୋପାଳପୁରରେ ୩୧.୮ ଡିଗ୍ରୀ, ରେକର୍ଡ ହୋଇଛି । ଏହା ସହ ଖରାକୁ ଦୃଷ୍ଟିରେ ରଖି ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲ ଚାଲିବ।
ଅଧିକ ପଢନ୍ତୁ : ଖରାରେ ଜଳୁଛି ସାରା ଓଡିଶା, ବିଭିନ୍ନ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର