ଖରାର ପ୍ରଭାବ ସାରା ଓଡିଶାରେ ଦେଖିବାକୁ ମିଳୁଛି । ମାର୍ଚ୍ଚ ଆରମ୍ଭରୁ ଖରାରେ ଜଳୁଛି ସାରା ଓଡ଼ିଶା । ତେବେ ୨ ଦିନ ଭିତରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିଛି । ବାଲେଶ୍ୱରରେ ୩୭.୬°, ଚାନ୍ଦବାଲିରେ ୩୭.୨° , ଝାରସୁଗୁଡାରେ ୩୭.୨°, ଭୁବନେଶ୍ୱରରେ ୩୬.୬°, ହୀରାକୁଦରେ ୩୬°, କେନ୍ଦୁଝରରେ ୩୫.୮°, ସମ୍ବଲପୁରରେ ୩୫.୮° , ରାଉରକେଲାରେ ୩୫.୬° , ପୁରୀରେ ୩୨.୪°, ପାରାଦୀପରେ ୩୧.୬°, ଗୋପାଳପୁରରେ ୩୧.୨°, ଟିଟିଲାଗଡ ୩୭° ଓ ବଲାଙ୍ଗୀରରେ ୩୭° ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୭ ଡିଗ୍ରୀ ସେଣ୍ଟିଗ୍ରେଡ୍ ମାଲକାନଗିରିରେ ରେକର୍ଡ କରାଯାଇଥିଲା । ରାତି ତାପମାତ୍ରା ବି ଆଗାମୀ ୫ ଦିନ ଯାଏଁ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲ ଚାଲିବ।
ଅଧିକ ପଢନ୍ତୁ : ଦ୍ୱାରଶୁଣି ଘାଟିରେ ଜଳୁଛି ପିଆଜ ବୋଝେଇ ଟ୍ରକ