ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଁ ବିପଦ ସଂକେତ ଟପିଥିଲା । ତଳିଆ ଅଞ୍ଚଳର ଲୋକମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ରାଜଘାଟରେ ଖସୁଛି । ଆଜି ସନ୍ଧ୍ୟା ସୁଦ୍ଧା ନଦୀର ଜଳସ୍ତର ବିପଦ ସଂକେତ ତଳକୁ ଆସିବ । ଆସନ୍ତାକାଲି ଭୋର ସମୟରେ ସତର୍କ ସଂକେତ ତଳକୁ ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, " ଗତକାଲି ସୁବର୍ଣ୍ଣରେଖା ବେସିନ କି ଯାମସୋଲାଘାଟରେ ବେଶି ବର୍ଷା ହୋଇନି । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି । ବନ୍ୟା ପାଇଁ ହୋଇଥିବା ସମସ୍ୟାର ସମାଧାନ ପାଇଁ ମରାମତି କାମ ଆସନ୍ତାକାଲି କି ପର ଦିନ ଆରମ୍ଭ ହେବ । ବଂଶଧରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି । ବର୍ଷାର ପରିମାଣ କମିବାରୁ ହୀରାକୁଦର ୪ ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ମୁଣ୍ଡଳୀରେ ୩ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ଆସନ୍ତାକାଲି ଠାରୁ ସ୍ଥିତି ସ୍ୱାଭାବିକ ହେବ । ଯେଉଁ ଲଘୁଚାପ ଆସୁଛି, ତା ଗତିଵିଧି ବଦଳୁଛି । ସଠିକ ଖବର ଆସିଲେ, ଅନ୍ୟ ସୂଚନା ଦିଆଯିବ ।
ସୂଚନା ଯୋଗ୍ୟ, ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭାବିତ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି । ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏ ସ୍ଥିତିରେ ସୁଧାର ଆସିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରଲର; ଡ୍ରାଇଭର ନିଖୋଜ