ଭୁବନେଶ୍ୱର: ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ । ଏବେଠାରୁ ବିଭିନ୍ନ ଛାତ୍ର ସଂଗଠନ କଲେଜ ପରିସରରେ ଡେରା ପକାଇବା ଆରମ୍ଭ କରିଛନ୍ତି । ଆଉ ଏହାରି ମଧ୍ୟରେ ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନର ବଡ଼ ଘୋଷଣା କରିଛି । ମହିଳା ନେତ୍ରୀ ଇପସିତା ସାହୁ ଏବଂ ଚିନ୍ମୟ ସାହୁଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ହୋଇଛନ୍ତି ଇପସିତା ସାହୁ । ସେହିପରି ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳର ସଭାପତି ନିଯୁକ୍ତ ହୋଇଛନ୍ତି ।
ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ମଙ୍ଗଳବାର ଘୋଷଣା ହୋଇଛି । ଏହି କ୍ରମରେ ବିଜୁ ଛାତ୍ର ବ୍ୟପାର ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ହୋଇଥିବାବେଳେ ସାଧାରଣ ସମ୍ପାଦକ ଦାୟିତ୍ୱରେ ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ୱାଳ । ସେହିପରି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକଭାବେ ନିଯୁକ୍ତ ହୋଇଛନ୍ତି ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମେରଶ ପତ୍ରି ଏବଂ ସଞ୍ଜିତ ମହାନ୍ତି ।
ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଇପସିତା ଏବଂ ଚିନ୍ମୟଙ୍କ ନିଯୁକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଉଭୟ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି । ଇପସିତା ଦୀର୍ଘ ୧୧ ବର୍ଷ ଧରି ବିଜେଡ଼ି ସହିତ ଜଡ଼ିତ ଅଛନ୍ତି । ରାଜ୍ୟର ପ୍ରତିଷ୍ଠିତ କଲେଜ ଯାହା ଉପରେ ସମସ୍ତଙ୍କ ନଜର ଥାଏ, ରମା ଦେବୀ ବିଶ୍ୱବିଦ୍ୟାଳୟର ଇପସିତା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ଏବେ ଇପସିତା ବିଜେଡ଼ିର ମୁଖପାତ୍ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
ସେହିପରି ଚିନ୍ମୟ ସାହୁ ମଧ୍ୟ ଉତ୍କଳ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ଏହା ପରେ ମଧ୍ୟ ଦଳ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି ।