ଢେଙ୍କାନାଳ: ଧରାବତରଣ କରିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ । ସେଥିପାଇଁ ସଜେଇ ହେଉଛି ଗାଁ ଠୁ ସହର । ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ଗାଁରେ କିନ୍ନରଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । କଞ୍ଚା ମାଟିରେ ତିଆରି କରୁଛନ୍ତି ଭଳିକି ଭଳି ମୂର୍ତ୍ତି । ଯାହାଦ୍ୱାରା ସେମାନେ ଦୁଇ ପଇସା ରୋଜଗାର କରିବା ସହିତ ନିଜ ପରିବାରର ପେଟ ପୋଷି ପାରୁଛନ୍ତି । ଯାହା ସମାଜ ପାଇଁ ବଡ଼ ନିଦର୍ଶନ ସାଜିଛି ।
ସମାଜରେ କିନ୍ନରଙ୍କ ସ୍ଥାନ ସ୍ୱତନ୍ତ୍ର ହୋଇଥିବା ବେଳେ ମୂର୍ତ୍ତି ଶିଳ୍ପ ସେମାନଙ୍କ ଜୀବନ ଧାରଣର ଶୈଳୀକୁ ପରିବର୍ତ୍ତନ କରିଛି । ଯାହାର ଉଦାହରଣ ସାଜିଛନ୍ତି ଗାଁର ମଲେଇ କିନ୍ନର । ଯିଏକି ଛୋଟ ବେଳେ ସଂଘର୍ଷ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି । ଆଉ ୨୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିଛି । ତାଙ୍କ ଯୋଗୁଁ ଅନେକ ପରିବାର ମୁହଁରେ ଆହାର ମିଳି ପାରିଛି । ୫ ଜଣ ସଦସ୍ୟଙ୍କୁ ନେଇ ତାଙ୍କର ଏହି ମୂର୍ତ୍ତି ଶିଳ୍ପ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ଦେଇଛି । ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ସମାଜରେ ସଂଘର୍ଷ କରି ପରିବାର ମୁହଁରେ ଆହାର ଯୋଗାଇ ପାରୁଥିବା ମଲେଇ କେବଳ ନିଜ ପରିବାର ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ରୋଜଗାର ଦେଇପାରିଛନ୍ତି । ତାଙ୍କର ହାତ ତିଆରି ମୂର୍ତ୍ତୀ ଗୁଡିକ ଢେଙ୍କାନାଳ, ଅନୁଗୋଳ, କେଉଁଝର, କଟକ, ଯାଜପୁର ଆଦି ଜିଲ୍ଲାରେ ବେଶ ଆଦୃତ ହୋଇପାରିଛି । ଏଥିସହିତ ମୂର୍ତ୍ତୀ ତିଆରି କରି ସେ ସମସ୍ତଙ୍କର ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି । ତାଙ୍କ ମୂର୍ତ୍ତି ଶିଳ୍ପରେ ବର୍ଷର ସବୁ ସମୟରେ ମୂର୍ତ୍ତି କାର୍ଯ୍ୟ କରା ଯାଇଥାଏ । ଲୋକଙ୍କ ଚାହିଦା ଏବଂ ପସନ୍ଦକୁ ଆଖି ଆଗରେ ରଖି ଛୋଟରୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ ଭଳିକି ଭଳି ମୂର୍ତ୍ତୀ ତିଆରି କରିଥାନ୍ତି । ସବୁଠାରୁ ବଡ଼ କଥା ହେଲା ଗ୍ରାମାଞ୍ଚଳର ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି କମ ଦାମରେ ସୁଉଚ୍ଚ ଏବଂ ବିଶାଳକାୟ ମାଟି ମୂର୍ତ୍ତି କରିଥାନ୍ତି । ତାଙ୍କ ହାତର କଳା ସ୍ପର୍ଶରେ ଜୀବନ୍ତ ହୋଇ ଉଠେ ମାଟିର ପ୍ରତିମା ।