ପୁରୀ: ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ମୁକ୍ତିମଣ୍ଡପ ପ୍ରତିନିଧୀ ସିଦ୍ଧେଶ୍ୱର ମହାପାତ୍ର ସ୍ଥାନ ପାଇଛନ୍ତି । ସେବକ ପ୍ରତିନିଧୀ କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା ରହିଛନ୍ତି । ତାଙ୍କ ସହିତ ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ କମିଟିରେ ସ୍ଥାନ ପାଇଛନ୍ତି । ମଠ ପ୍ରତିନିଧୀ ଭାବେ ରଘୁବୀର ଦାସ ମହାରାଜ ସ୍ଥାନ ପାଇଛନ୍ତି । ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ସ୍ଥାନ ପାଇଛନ୍ତି । ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ମଧ୍ୟ ରହିଛନ୍ତି ।ପରିଚାଳନା କମିଟିରେ ମହେଶ କୁମାର ସାହୁ ମଧ୍ୟ ରହିଛନ୍ତି । ଏଇ ୧୦ ଜଣ ପରିଚାଳକ କମିଟିର ସଦସ୍ୟ ମାନେ କିପରି ପରିଚାଳନା କମିଟି କାର୍ଯ୍ୟ କରିବ ସେନେଇ ନିଷ୍ପତି ନେବେ । ଏକ ରୂପରେଖ ତିଆରି କରିବେ ଏବଂ ଶ୍ରୀମନ୍ଦିରରେ ସୁରୁଖୁରୁରେ ଭକ୍ତ କିପରି ମହାବାହୁଙ୍କୁ ଦର୍ଶନ କରିବେ ସେନେଇ ରୂପରେଖର ଦାୟିତ୍ୱ ଏହି ପରିଚାଳନା କମିଟି ଉପରେ ରହିବ । ଧାଡି ଦର୍ଶନ ଠୁ ନେଇ ଅଭଡ଼ା ଯାଏଁ, ଏବଂ ଲାଞ୍ଚ ନେଇ ଯେଭଳି ଭାବେ ମନ୍ଦିରରେ ପ୍ରବେଶ କରୁଛନ୍ତି, ତା’ ଉପରେ ବି ନଜର ରଖିବ ପରିଚାଳନା କମିଟି ।
ଧାଡ଼ି ଦର୍ଶନ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପରିଚାଳନା କମିଟିର ମୋହର ଲାଗିବା ଦରକାର। ଛତିଶାନିଯୋଗର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ପରେ, ସେ ବୈଠକରେ ଯେଉଁ ନିଷ୍ପତି ନିଆଯିବ, ସେଥିରେ ପରିଚାଳନା କମିଟିର ମୋହର ଲାଗିବ ଏବଂ ମୋହର ଲାଗିବା ପରେ ସରକାରଙ୍କ ତରଫରୁ ଯେଉଁ ହୁଣ୍ଡିଟି ରହିଛି, ସେଇ ହୁଣ୍ଡିଟି ଗାରଦର ଡାହାଣ ପାଶ୍ୱର୍କୁ ସ୍ଥାନାନ୍ତର କରାଯିବ, ଯାହାର ନିଷ୍ପତି ପ୍ରାୟତଃ ହୋଇସାରିଛି । ଏବଂ ଯେଉଁ ପଟେ ମହାପ୍ରଭୁଙ୍କୁ ଦର୍ଶନ କରି ସାଧାରଣ ଭକ୍ତ ଫେରିବେ, ସେଇ ଫେରିବା ବାଟରେ ହିଁ ହୁଣ୍ଡିକୁ ସ୍ଥାନାନ୍ତର କରାଯିବ । କେବଳ ଏହା ଉପରେ ରାଜ୍ୟ ସରକାରଙ୍କ ମୋହର ଲାଗିବାର ଅଛି । ତେଣୁ ଧାଡ଼ି ଦର୍ଶନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପରିଚାଳନା କମିଟି ନିକଟରେ ରହିଛି ।