ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବା ନୂଆଁଖାଇ ପରଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆଖାଇ ପର୍ବ ଉପଲେକ୍ଷେ ଆସନ୍ତା ୨୯ ତାରିଖକୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ । ଆସନ୍ତା ମାସର ଦ୍ବିତୀୟ ଶନିବାର ବା ସେପ୍ଟେମ୍ବର ୧୩ ତାରିଖ ଛୁଟିକୁ ବାତିଲ୍ କରାଯାଇ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି ।
ଗଣେଷ ପୂଜା ପରଦିନକୁ ନୂଆଁଖାଇ ପର୍ବ ଭାବେ ପଶ୍ଚିମ ଓଡ଼ିଶାବାସୀ ବେଶ ଧୂମଧାମରେ ପାଳନ କରିଥାନ୍ତି । ଏହି ଦିନ ସେମାନେ ନୂଆ ପୋଷାକ ପିନ୍ଧିବା ସହିତ ନୂଆ ଖାଦ୍ୟ ଖାଇଥାନ୍ତି । ବନ୍ଧୁ ବାନ୍ଧବ, ସାହି ପଡିଶାଙ୍କୁ ନୂଆଁଖାଇ ଜୁହାର ମଧ୍ୟ ହୋଇଥାନ୍ତି । ପାରିବାରିକ, ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ଏହା ବଜାଇ ରଖିଥାଏ । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସରକାର ନୂଆଁଖାଇ ପରଦିନକୁ ଛୁଟି ଘୋଷଣା କରିଛନ୍ତି ।