ସୁନ୍ଦରଗଡ: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାରି ଭିତରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ଝଣ୍ଟେଲବୁଡ ସଫେଇ ନଦୀ ପୋଲ ଉପରୁ ଏକ ଟ୍ରଲର ଭାସିଯାଇଛି । ଯାହା ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ନିଖୋଜ ରହିଛନ୍ତି ।
ସୂଚନା ଅନୁସାରେ, ଟ୍ରଲରଟି କୋଇଲା ନେଇ ରାଉରକେଲା ଯାଉଥିଲା । ସଫେଇ ନଦୀ ପୋଲ ଉପରେ ଯାଉଥିବାବେଳେ ଭାରସାମ୍ୟ ହରାଇ ନଦୀ ଭିତରକୁ ଭାସିଯାଇଥିଲା । ଡ୍ରାଇଭର ଭାସିଯାଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସେପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨ ଦିନରେ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଲଘୁଚାପ ଯୋଗୁଁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।