ନୂଆଦିଲ୍ଲୀ: ଏଣିକି ମଦ କିଣିଲେ କେବଳ ଅନଲାଇନ୍ ମାଧ୍ୟମରେ ଟଙ୍କା ଦେବେ ଗ୍ରାହକ । ଆଉ ନଗଦ କ୍ୟାସ୍ ଗ୍ରହଣ କରିବେନି ମଦ ଦୋକାନୀ । ଅବୈଧ ନିଶା ବ୍ୟାପାର ଉପରେ ଅଙ୍କୁଶ ଲଗାଇବାକୁ ଛତିଶଗଡ଼ ସରକାର ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଛତିଶଗଡ଼ରେ ମଦ ଦୋକାନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ନଗଦମୁକ୍ତ ହେବାକୁ ଯାଉଛି । ଖୁବ୍ଶୀଘ୍ର ସମସ୍ତ ମଦ ଦୋକାନରେ କେବଳ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ମଦ କ୍ରୟ କରାଯାଇପାରିବ । ଅବକାରୀ ମନ୍ତ୍ରୀଭାନେ ନୂତନ ଦାୟିତ୍ୱ ପାଇବା ପରେ ମନ୍ତ୍ରୀ ଲଖନଲାଲ ଦେବାଙ୍ଗନ୍ ଅବକାରୀ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମଦ ଦୋକାନଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବ ଏବଂ ମୁଖ୍ୟାଳୟରୁ ୨୪ ଘଣ୍ଟିଆ ନଜର ରଖାଯିବ । ମଦର ଅବୈଧ ବିକ୍ରୟ ଏବଂ ନିଶାଦ୍ରବ୍ୟର ଉତ୍ପାଦନ, ଗଚ୍ଛିତ, ପରିବହନ ଏବଂ ବିକ୍ରୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ମନ୍ତ୍ରୀ ଲଖନଲାଲ କହିଛନ୍ତି, ମଦ ଦୋକାନରେ ଅନଲାଇନ୍ ପେମେଣ୍ଟ କାର୍ଯ୍ୟକାରୀ କରାଯିବା ଉଚିତ । ମଦ ଦୋକାନରେ ୧୦୦ ପ୍ରତିଶତ ପେମେଣ୍ଟ ଅନଲାଇନ୍ ମାଧ୍ୟମରେ କରାଯିବା ଉଚିତ। ଯଦ୍ୱାରା ଅବକାରୀ ବିଭାଗରେ ହେଉଥିବା ଯେକୌଣସି ଅନିୟମିତତାକୁ ରୋକାଯାଇ ପାରିବ ।
ଏହା ସହିତ ମଦ ଦୋକାନରେ ସିସିଟିଭି କ୍ୟାମେରା ଲଗାଇ ମୁଖ୍ୟାଳୟରୁ ନଜର ରଖାଯିବ । ଆନ୍ତଃରାଜ୍ୟ ସୀମାରେ ଅବସ୍ଥିତ ଅବକାରୀ ଯାଞ୍ଚ ପୋଷ୍ଟଗୁଡ଼ିକରେ ସତର୍କତା ବୃଦ୍ଧି କରିବା ଏବଂ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ ।
ସେହିପରି ହୋଟେଲ, ଢାବା ଏବଂ ଫାର୍ମ ହାଉସରେ ବେଆଇନ ମଦ ବିକ୍ରୟ ଏବଂ ସେବନ ଉପରେ କଡ଼ା ନଜର ରଖାଯିବା ଉଚିତ । ଫାର୍ମ ହାଉସରେ ମଦ ପାର୍ଟି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ମନ୍ତ୍ରୀ ମଦ ଦୋକାନର ବ୍ୟବସ୍ଥା, ଲାଇସେନ୍ସ ବ୍ୟବସ୍ଥା, ମାର୍କେଟିଂ କର୍ପୋରେସନ ଏବଂ ବାର-କ୍ଲବ ପରିଚାଳନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ବୈଠକରେ ରାଜସ୍ୱ ଲକ୍ଷ୍ୟ ହାସଲ ସମ୍ପର୍କରେ ଏକ ଉପସ୍ଥାପନା ମଧ୍ୟ ଉପସ୍ଥାପିତ ହୋଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଗତ ସରକାରରେ ଛତିଶଗଡ଼ରେ ବ୍ୟାପକ ମଦ ଦୁର୍ନୀତି ହୋଇଛି । ଯାହାର ଏବେ ତଦନ୍ତ ଜାରି ରହିଛି ।