ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପାଖାପାଖି ୩ ଘଣ୍ଟା ଧରି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ବୈଠକ ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।
ଫାଇଟି ରୂପାନ୍ତରଣ ନାଁରେ କେବଳ ସ୍କୁଲର ରଙ୍ଗ ଦିଆଯାଇଥିଲା କହି ପୂର୍ବ ସରକାରଙ୍କୁ ଟାଗେର୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସ୍କୁଲର ଡିପିଆର କି ଏଷ୍ଟିମେଟ୍ ପ୍ରସ୍ତୁତ ହୋଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା । ତେଣୁ ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ହେବ। ଏଥିପାଇଁ ୧୨ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ।
କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଫେବୃୟାରୀ ୫ରେ ଓଡିଶା ଆସିବେ ଷୋଡଶ ଅର୍ଥ କମିଶନ୍ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତାବ ରହିବ। ଏଥିରେ ୧୨ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ ।
ରାଜ୍ୟରେ ପ୍ରଥମ କରି ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍ ।
ଶିତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡି ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୬କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ଗ୍ରାମର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଗାଁ ବିକଶିତ ଓଡିଶାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯାଇଛି । ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ଅନୁମୋଦନ ମିଳିବ ।
ରାଜ୍ୟ କ୍ୟାବିନେଟ୍ ଶିଳ୍ପନୀତି ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବ ଏବଂ ପ୍ରତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ ।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବି କ୍ୟାବିନେଟ୍ ଅନୁମୋଦନ ମିଳିଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ହେଲା ସଂଶୋଧନ । ଡାକ୍ତରୀ ସମସ୍ୟା ଦୂର ପାଇଁ ନିଆଯାଇଛି ନିଷ୍ପତି । ନିଯୁକ୍ତି ପାଇବେ ୫ହଜାର ଡାକ୍ତର ।