ବ୍ରହ୍ମପୁର: ଜଣେ ନୌସେନା ଅଧିକାରୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଅଧିକାରୀ ହେଲେ ବ୍ରହ୍ମପୁରର ସୌରଭ ପାତ୍ର । ସେ ଟ୍ରେନରେ ବ୍ରହ୍ମପୁରରୁ ବିଶାଖାପାଟଣା ଯିବା ବାଟରେ ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି ।
ସୌରଭ ପାତ୍ରଙ୍କ ଘର ବ୍ରହ୍ମପୁର ଗେଟ୍ ବଜାର ନିକଟରେ ।୨୦୧୯ରୁ ସେ ନୌସେନାରେ କାର୍ଯ୍ୟରତ ଅଛନ୍ତି । କେରଳର କୋଚି ଆଇଏନଏସ ଗରୁଡ଼ରେ (INS Garuda) ପୋଷ୍ଟିଂ ପାଇଛନ୍ତି ସୌରଭ । ଗତ ଡିସେମ୍ବର ୨୮ରେ ସୌରଭ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଛୁଟିରେ ଘରକୁ ଆସିଥିଲେ । ବିବାହ କାର୍ଯ୍ୟକ୍ରମ ସରିବା ପରେ ସେ ପୁଣି ନିଜ କାର୍ଯ୍ୟକୁ ଫେରିଥିଲେ । ପ୍ରଥମେ ବ୍ରହ୍ମପୁରରୁ ବିଶାଖାପାଟଣା ଟ୍ରେନ୍ ଯିବା ପରେ ସେଠାରୁ ବିମାନ ଯୋଗେ କେରଳର କୋଚିକୁ ଯିବାକୁ ଥିଲା । ଜାନୁୟାରୀ ୧୯ ତାରିଖ ଭୋର୍ ୩ଟାରେ ବ୍ରହ୍ମପୁର ଷ୍ଟେସନରେ ପରିବାର ଲୋକ ଟ୍ରେନରେ ବସାଇଥିଲେ । ଇଛାପୁର ଷ୍ଟେସନରେ ଘର ଲୋକଙ୍କୁ ଶେଷ କଲ୍ କରି କଥା ହୋଇଥିଲେ । ମାତ୍ର ଏହା ପରେ ତାଙ୍କ ସହିତ ଆଉ କୌଣସି ଯୋଗାଯୋଗ ହୋଇ ପାରି ନ ଥିଲା । ପରିବାର ଲୋକ ଯେତେ କଲ୍ କଲେ ମଧ୍ୟ ଫୋନ ସୁଇଚ ଅଫ୍ କହିଥିଲା ।
ପରିବାର ଲୋକ ଆଇଏନଏସ ଗରୁଡ଼କୁ କଲ୍ କରି ଯୋଗାଯୋଗ କରିଥିଲେ । କିନ୍ତୁ ସୌରଭ କାର୍ଯ୍ୟରେ ଯୋଗ ଦେଇ ନ ଥିବା ଆଇଏନଏସ ଅଧିକାରୀ କହିଥିଲେ । ବିଶାଖାପାଟଣା ବିମାନବନ୍ଦରକୁ କଲ୍ କରିବା ପରେ ମଧ୍ୟ ଜଣାପଡ଼ିଥିଲା ଯେ ସେ ଚେକ୍ ଇନ୍ ମଧ୍ୟ କରି ନ ଥିବା ଜଣାପଡ଼ିଛି । ସୌରଭଙ୍କ ପରିବାର ପକ୍ଷରୁ ଏ ନେଇ ବ୍ରହ୍ମପୁର ଟାଉନ ଥାନାରେ ଏକ ନିଖୋଜ ଅଭିଯୋଗ କରାଯାଇଛି । ତାଙ୍କୁ ଜଲଦି ଖୋଜି ବାହାର କରିବାକୁ ପୋଲିସ, ସରକାର ଏବଂ ନୌସେନାଙ୍କ ନିକଟରେ ଗୁହାରୀ କରିଛନ୍ତି ।