ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡ଼ୁରେ ଜିଲ୍ଲାର ୯୦ ଜଣ ଝିଅଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗରେ ତାତିଛନ୍ତି ଜନତା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ଦାବି କରାଯାଇଛି । କୋଶଳ ସମାଜ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି ।
ସରକାରଙ୍କ କୌଶଳ ବିକାଶ ଯୋଜନାରେ ତାମିଲାନାଡ଼ୁକୁ ପଠାଯାଇଥିବା ଝିଅମାନେ କାମ କରୁଥିଲେ । କିନ୍ତୁ କାମ କରୁଥିବା ଝିଅମାନେ ଘରକୁ ଫେରିବାକୁ ଚାହୁଁଥିଲେ ବି ସେମାନଙ୍କୁ କମ୍ପାନୀ ଛାଡ଼ୁ ନ ଥିବା ଅଭିଯୋଗ ହୋଇଛି । ଝିଅମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇଥିଲା । କିନ୍ତୁ କମ୍ପାନୀ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଛାଡ଼ିବାକୁ କହିବାରୁ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେମାନଙ୍କୁ ଜଲଦି ଘରକୁ ଫେରାଇ ଆଣିବାକୁ ଅଭିଭାବକମାନେ ଦାବି କରିଛନ୍ତି । ଏ ନେଇ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଜିଲ୍ଲାରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି । ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିବା ସହିତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ସାଧାରଣ ଜନ ଜୀବନ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।