ଜମ୍ମୁ: ଜମ୍ମୁ ଓ କାଶ୍ମୀରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁମିତ ଜଣ୍ଡିୟାଲ ଅରଫ୍ ଗଟାରୁକୁ ଗୁଳି କରି ହତ୍ୟା କରାଯାଇଛି । ପଞ୍ଜାବ ପ୍ରସିଦ୍ଧା ଗାୟକ ସିଦ୍ଧୁ ମୁସେୱାଲାଙ୍କ ଷ୍ଟାଇଲରେ ଗଟାରକୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ନିଜ ଥାର୍ ଗାଡ଼ିରେ ବସିଥିବାବେଳେ ତିନି ଜଣ ଆକ୍ରମଣକାରୀ ଆସି ତାଙ୍କ ଉପରକ ଗୁଳି ଚଳାଇଛନ୍ତି । ତାଙ୍କ ଦେହରେ 4ଟା ଗୁଳି ବାଜିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ଗଟାରୁ ଅପରାହ୍ନ ସାଢ଼େ ଗୋଟାଏ ସମୟରେ ନିଜ ଥାର୍ ଗାଡ଼ିରେ ଯାଉଥିଲା । ଏହି ସମୟରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା । ନବାବାଦ ଥାନାର ମାତ୍ର 100 ମିଟର୍ ଦୂରରେ ହୋଇଛି ଏହି ଜଘନ୍ୟ ଅପରାଧ । ଯେଉଁଠାରୁ ମାତ୍ର 200 ମିଟର ଦୂରରେ ଗଣତନ୍ତ୍ର ଦିବସ ସମାରୋହର ଆୟୋଜନ କରାଯାଇଛି ଏବଂ ସେଠାରେ କଡ଼ା ସୁରକ୍ଷା ବଳୟ ରହିଛି । ଦୁର୍ବୃତ୍ତମାନେ ଗ୍ୟାଙ୍ଗଷ୍ଟାର ଗଟାରୁକୁ ଗୁଳି କରିବା ପରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ମାରି ତାଙ୍କ ଗାଡ଼ି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଏହା ପରେ ହତ୍ୟାକାରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟି କରି ନିଜ ଦୋଷ ସ୍ୱୀକାର କରିଥିଲା । ଅଭିଯୁକ୍ତମାନେ ହେଲେ ଅନୀଲ ରାଜା ଏବଂ ବଣ୍ଟି ରାଜା । ପୋଷ୍ଟ କରି ସେମାନେ କହିଛନ୍ତି ଯେ ଆମେ ଆମ ଭାଇ ଶୁନ୍ନୁ ହତ୍ୟାର ପ୍ରତିଶୋଧ ନେଇଛୁ ।
ଶୁନ୍ନୁ ଏକ ଗ୍ୟାଙ୍ଗର ସଦସ୍ୟ ଥିଲା । ଗତବର୍ଷ କଠୁଆ ଜିଲ୍ଲାରେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା । ଯେଉଁଥିରେ ତାର ମୃତ୍ୟୁ ହୋଇଥିଲା । ଶୁନ୍ନୁ ବିଷୟରେ ଗଟାରୁ ପୋଲିସକୁ ସୂଚନା ଦେଇଥିଲା ବୋଲି ସେମାନେ କହିଛନ୍ତି ।