ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ରୋଚକ ତଥ୍ୟ । ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ରହିଛନ୍ତି ପୁରୁଷ ଆବେଦନକାରୀ । ଏହାକୁ ଧରାଇଦେଇଛି ଆଧାରକାର୍ଡ ଓ ବ୍ୟାଙ୍କ ଖାତା ସଂଯୋଗୀକରଣ । ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନକାରୀ ଥିବା ଜଣାପଡ଼ିଛି । ଏ ନେଇ ସୂଚନା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେତେକ ପରିସ୍ଥିତିରେ ପୁରୁଷ ଓ ମହିଳାଙ୍କ ନାମ ସମାନ ଥାଏ । ଏମିତି ନାମର ବନାନ (ସ୍ପେଲିଂ) ମଧ୍ୟ ସମାନ ଥାଏ । ଯେତେବେଳେ ବ୍ୟାଙ୍କ ଖାତା ଓ ଆଧାରକାର୍ଡକୁ ଲିଙ୍କ୍ କରାଗଲା ସେତେବେଳେ ଏହା ସାମ୍ନାକୁ ଆସିଲା । ମୋଟ ୧୫୭ ଜଣ ପୁରୁଷ ଆବେଦନକାରୀ ରହିଛନ୍ତି । ସମସ୍ତଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହା ଏକ ତ୍ରୁଟି ହୋଇଥାଏ ପାରେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ସେହିପରି ରାଜ୍ୟ ବାହାରେ ଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପୁଣି ଥରେ କହିଛନ୍ତି । ସୁଭଦ୍ରାରେ ଏ ପର୍ଯ୍ୟନ୍ତ କୋଟିଏରୁ ଉର୍ଦ୍ଧ୍ୱ ଲୋକ ଆବେଦନ କରିଛନ୍ତି । ସେଥିରୁ ୨ ଲକ୍ଷରୁ ଅଧିକ ଆବେଦନକାରୀଙ୍କ ଆବେଦନ ପତ୍ର ପେଣ୍ଡିଂ ହୋଇକି ରହିଥିଲା । ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ବୈଠକ ପରେ ଏହା ହ୍ରାସ ପାଇଛି । ଯେଉଁମାନେ ମହିଳାମାନେ ଆବେଦନ କରି ରାଜ୍ୟ ବାହାରକୁ କାମ କରିବାକୁ ପଳାଇଛନ୍ତି ସେମାନଙ୍କୁ ସହାୟତା ଦିଆଯାଇ ପାରୁ ନାହିଁ । ସେମାନେ ଉପସ୍ଥିତ ନ ଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ଗାଁକୁ ଯାଇ ଫେରିଆସୁଛନ୍ତି । ସେମାନଙ୍କର ଫଟୋ ଉଠାଯିବା ଏବେ ଆବଶ୍ୟକ ହୋଇପଡ଼ିଛି । ସେମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ସହାୟତା ଦେଇ ହେଉନାହିଁ । ବିଶେଷକରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା, ଗଞ୍ଜାମ, ଦେଓଗଡ଼, ଅନୁଗୁଳ, ସମ୍ବଲପୁର, କୋରାପୁଟ ଏବଂ ବଲାଙ୍ଗୀର ଆଦି ଜିଲ୍ଲା ଗୁଡ଼ିକରେ ଏହି ସଂଖ୍ୟା ଅଧିକ ରହିଛି ।