ରାୟଗଡ଼ା : ଟ୍ରେନ୍ ଉପରେ ଚଢ଼ି ଜିଅନ୍ତା ଜଳିଗଲେ ଜଣେ ବ୍ଯକ୍ତି। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡ଼ା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ରାୟଗଡ଼ା ରେଳ ଷ୍ଟେସନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବ୍ୟକ୍ତି ଚଢ଼ି ଯାଇ ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ ମୃତକ ହେଲେ ନୂଆପଡ଼ା ଜିଲା ରାଜଖରିଆର ଥାନା ଅନ୍ତର୍ଗତ ବଡ଼ମୂଳା ଗ୍ରାମର ନରସିଂହ କାଣ୍ଡ (୬୪)। ମୃତକ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି। ଏ ନେଇ ଆର୍ପିଏଫ୍ ତରଫରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
ମଙ୍ଗଳବାର ସକାଳେ ନରସିଂହ ସିକନ୍ଦରାବାଦରୁ ଟ୍ରେନ୍ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିଥିଲେ। ପରେ ଷ୍ଟେସନ ପରିସରରେ ଉତ୍ପାତ ମଚାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଚାନକ ସେ ଷ୍ଟେସନରେ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରକୁ ଚଢ଼ିଯାଇ ବିଦ୍ୟୁତ ତାରକୁ ଦୁଇ ହାତରେ ଧରି ପକାଇଥିଲେ। ଫଳରେ ତତକ୍ଷଣାତ୍ ସେଠାରେ ସେ ଜଳିହୋଇ ଟଳି ପଡ଼ିଥିଲେ। ଏହାପରେ ରେଳ କର୍ମଚାରୀ ଓ ରେଲଓ୍ବେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।