ନୂଆପଡ଼ା: ଓଡ଼ିଶା ଓ ଛତିଶଗଡ଼ ସୀମାରେ ଦୁଇ ଦିନ ଧରି ଚାଲିଥିବା ମାଓ ବିରୋଧୀ ଅଭିଯାନରେ ୧୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାବାହିନୀ । ମୃତ ମାଓବାଦୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏଥିରେ ଜଣେ ଟପ୍ କ୍ୟାଡର୍ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେ ହେଲା ଓଡ଼ିଶାର କ୍ୟାଡର୍ ମାଓ ନେତା ଚଳପତି ଓରଫ୍ ଜୟରାମ । ସେ ଜଣେ କେନ୍ଦ୍ରୀୟ କମିଟି ମାଓ ନେତା ଥିଲା । ତା ନାଁରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ।
୬୧ ବର୍ଷିୟ ଜୟରାମ ଓଡ଼ିଶା କମିଟିର ସଦସ୍ୟ ଥିଲା । ତାର ଏକାଧିକ ନାଁ ରହିଥିଲା ଯଥା ଚଳପତି ଓରଫ ଜୟରାମ ଓରଫ ରାମଚନ୍ଦ୍ରନ ଓରଫ ପ୍ରତାପ ରେଡ୍ଡୀ ଥିଲା । ତା ଘର ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲା ବଂଗାରମ ପଟେମ ଥାନା ଅଧୀନ ପାଇପଲୀ ଗ୍ରାମରେ । ସେ ୨୦୨୧ ଜାନୁଆରିରେ ଛତିଶଗଡ଼ ଆସିଥିଲା । ତାର ପତ୍ନୀ ଅରୁଣା (୨୪) ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଅଛି । ତା ନିକଟରେ ୪୭ଟି ଅସ୍ତ୍ର, ମୋବାଇଲ, ଟ୍ୟାବଲେଟ, କମ୍ପ୍ୟୁଟର ଓ ରେଡିଓ ଥିଲା । ସେ ଏକାଧିକ ଭାଷାରେ କଥା ହୋଇ ପାରୁଥିଲା । ତାକୁ ତେଲୁଗୁ, ଓଡ଼ିଆ, ଗୋଣ୍ଡୀ, ଛତିଶଗଡ଼ୀ ଓ ହିନ୍ଦୀ ଭାଷା ଜଣାଥିଲା ।
ଗରିଆବନ୍ଦ ଏସପି ନିଖିଲ ରାଖେଚା କହିଛନ୍ତି ଏହା ଏକ ବିରଳ ଏନକାଉଣ୍ଟର । କେନ୍ଦ୍ରୀୟ କମିଟି ମାଓ ନେତାମାନେ ସବୁବେଳେ ପ୍ରାକୃତିକଭାବରେ ମୃତ୍ୟୁ ବରଣ କରନ୍ତି ନ ହେଲେ ଗିରଫ ହୁଅନ୍ତି । ମାତ୍ର ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ନେତାଙ୍କୁ ହତ୍ୟା କରିବା ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୁରକ୍ଷାବାହିନୀଙ୍କୁ ଏହି ସଫଳତା ପାଇଁ ପ୍ରଶଂସା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନକ୍ସଲବାଦକୁ ଆଉ ଏକ ବଡ଼ ଝଟକା ଲାଗିଛି । ଭାରତକୁ ନକ୍ସଲମୁକ୍ତ କରିବା ଦିଗରେ ଆମର ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମାରେ ମିଳିତ ଅପରେସନରେ ସିଆରପିଏଫ୍, ଏସଓଜି ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ୧୪ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି । ନକ୍ସଲମୁକ୍ତ ଭାରତ ପାଇଁ ଆମର ସଂକଳ୍ପ ଏବଂ ଆମର ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଯୋଗୁଁ, ଆଜି ନକ୍ସଲବାଦ ଶେଷ ନିଶ୍ୱାସ ନେଉଛି ।